ପନ୍ଦର ମାସ ପରେ ପଲଟିଲା ପଶା: ମୁକାବିଲା ପୂର୍ବରୁ ଓହରିଗଲେ କମଲନାଥ, ଏବେ ପୁଣି ଶିବରାଜଙ୍କ ଡ୍ରାମା
20/03/2020 at 8:07 PM

ଭୋପାଳ, ୨୦|୦୩: ଭୋପାଳରେ ଉତ୍ସବ ପାଳୁଛନ୍ତି ବିଜେପି କର୍ମୀ। ନକରିବେ ବା କେମିତି। ଆସ୍ଥା ଭୋଟକୁ ସାମ୍ନା କରିବା ପୂର୍ବରୁ କଂଗ୍ରେସ ସରକାର ପରାଜୟ ସ୍ବୀକାର କରିଛି। ଇସ୍ତଫା ଦେଇଛନ୍ତି ମୁଖ୍ୟମନ୍ତ୍ରୀ କମଳନାଥ। ସେପଟେ ପରବର୍ତ୍ତୀ ସରକାର ଗଠନ ପାଇଁ ଶିବରାଜ ସିଂହ ଚୌହାନ ଉଦ୍ୟମ ଆରମ୍ଭ କରିଛନ୍ତି।

ବିଧାନସଭାରେ ବିଜେପି କର୍ମୀ ଦେଖାଉଛନ୍ତି ଭିକ୍ଟ୍ରି ସାଇନ । ଖୁସି ମନାଉଛନ୍ତି ମିଠା ବି ବାଣ୍ଟୁଛନ୍ତି। ଏମାନଙ୍କ ମନରେ ନାହିଁ କରୋନା ଭୟ । ବିଜୟ ଉତ୍ସବରେ ହୋଇଛନ୍ତି ମସଗୁଲ । ଜିତିଲା କମଳ ଆଉ ହାରିଲେ କମଳନାଥ । ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଇସ୍ତଫା ଦେଇଛନ୍ତି। ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ଭେଟି ସେ ଇସ୍ତଫା ଦେଇଛନ୍ତି । ରାଜ୍ୟପାଳ ଏହାକୁ ଗ୍ରହଣ କରିଥିବା ବେଳେ ପରବର୍ତ୍ତୀ ସରକାର ଗଠନ ପର୍ଯ୍ୟନ୍ତ ସେ କାମଚଳା ମୁଖ୍ୟମନ୍ତ୍ରୀ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। କମଲନାଥ କହିଛନ୍ତି ବିଜେପି ସରକାର ଭାଙ୍ଗିବା ଲାଗି ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଥିଲା। ସରକାର ଭାଙ୍ଗିବା ପାଇଁ ବିଜେପି ବିପୁଳ ଟଙ୍କା ପ୍ରୟୋଗ କରିଥିବା ସେ କହିଛନ୍ତି।

ଆଜି ସଂଧ୍ୟା ୫ଟାରେ ବିଧାନସଭାରେ ବହୁମତ ପ୍ରମାଣ କରାଇବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହା ପୂର୍ବରୁ ଇସ୍ତଫା ଦେଇଥିଲେ କମଲନାଥ । ବାଚସ୍ପତି କହିଥିଲେ ଏବେ ଆଉ ବହୁମତ ପ୍ରମାଣ ଦେବା ଦରକାର ନାହିଁ। ମଧ୍ୟ ପ୍ରଦେଶର ୨୨ ବିଧାୟକଙ୍କ ଇସ୍ତଫା ଗୃହୀତ ହେଲେ ଗୃହର କ୍ଷମତା ୨୦୬କୁ ଖସି ଆସିବ। କଂଗ୍ରେସ ନିକଟରେ ୯୨ ବିଧାୟକ ଅଛନ୍ତି ୭ ନିର୍ଦ୍ଦଳୀୟ ଓ ଅନ୍ୟଦଳ ସଦସ୍ୟ ସମର୍ଥନ କରୁଛନ୍ତି। ଏହା ଅନୁଯାୟୀ ଏବେ କଂଗ୍ରେସ ପାଖରେ ୯୯ ବିଧାୟକଙ୍କ ସମର୍ଥନ ରହିଛି। ବହୁମତ ପାଇଁ ଆବଶ୍ୟକ ୧୦୪। ସେପଟେ ବିଜେପି ପାଖରେ ରହିଛି ୧୦୬ ବିଧାୟକଙ୍କ ସମର୍ଥନ। ତେଣୁ ଏବେ ସରକାର ଗଠନ ପାଇଁ ବିଜେପି ପ୍ରୟାସ ଆରମ୍ଭ କରିଦେଇଛି।

କରୋନା ସମୟରେ ଏକାଠି ନ ହେବା ଲାଗି ପ୍ରଧାନମନ୍ତ୍ରୀ ଅପିଲ ସିନା କରିଛନ୍ତି । କିନ୍ତୁ ଆଜି ଶିବରାଜ ସିଂହ ଚୌହାନ ଡାକିଥିବା ଡିନର ପାର୍ଟିରେ ଏକାଠି ହେଉଛନ୍ତି ବିଜେପି ବିଧାୟକ।
