TVରେ ଲାଇଭ୍ ପ୍ରୋଗ୍ରାମ୍ରେ ମଡର୍ଣ୍ଣା ଟିକାର ପ୍ରଥମ ଡୋଜ୍ ନେଲେ କମଳା ହ୍ୟାରିସ୍
30/12/2020 at 3:49 PM

ଓ୍ବାସିଂଟନ୍ ୩୦/୧୨: କରୋନା ଭାଇରସ୍ ସାରା ବିଶ୍ବରେ ଏବେ ବି ନିଜର କାୟା ବିସ୍ତାର କରିଛି । ଗୋଟିଏ ପଟେ କରୋନା କୋପ କମୁଛି ବୋଲି କୁହାଯାଉଥିବା ବେଳେ ନୂଆ ରୂପ ଏବେ ପୁଣି ଥରେ ଚିନ୍ତା ବଢ଼ାଇଛି। ବ୍ରିଟେନରେ କରୋନାର ନୂଆ ରୂପ ସାରା ବିଶ୍ବରେ ଭୟ ସୃଷ୍ଟି କରିଛି । ଏହାକୁ ନଜରରେ ରଖି ବ୍ରିଟେନ ସରକାର ପୁଣି ଅକ୍ସଫୋର୍ଡ କରୋନା ଟିକାକୁ ଅନୁମତି ଦେଇଛନ୍ତି । ଦେଶରେ ଟିକାକରଣ ପ୍ରକ୍ରିୟା ଜୋରଦାର ହୋଇଛି। ସେହିଭଳି ଆମେରିକାରେ ଟିକାକରଣ ଚାଲିଛି। ଆମେରିକାର ମଡର୍ଣ୍ଣା ଟିକା ପ୍ରୟୋଗ ଆରମ୍ଭ ହୋଇଛି। ମଡର୍ଣ୍ଣା ଟିକାର ପ୍ରଥମ ଡୋଜ୍ ନବନିର୍ବାଚିତ ଉପ ରାଷ୍ଟ୍ରପତି କମଳା ହ୍ୟାରିସ୍ଙ୍କୁ ଦିଆଯାଇଛି।
ଲୋକଙ୍କ ମଧ୍ୟରେ କରୋନା ଟିକାକୁ ନେଇ ଥିବା ଭୟ ଦୂର କରିବାକୁ କମଳା ହ୍ୟାରିସ୍ ଭ୍ୟାକସିନ ଲାଇଭ୍ ଟିଭି ପ୍ରୋଗ୍ରାମରେ ଗ୍ରହଣ କରିଛନ୍ତି ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ଆମେରିକାର ପୂର୍ବତନ ୩ ରାଷ୍ଟ୍ରପତି ପ୍ରଥମେ କରୋନା ଟିକା ନେବେ ବୋଲି ମଧ୍ୟ ଘୋଷଣା କରିଥିଲେ। କରୋନା ଟିକା ଗ୍ରହଣ କରିବାକୁ ଲୋକମାନଙ୍କ ମନରେ ଭୟ ସୃଷ୍ଟି ହୋଇଥିବାରୁ ଏହାକୁ ଦୂର କରିବା ପାଇଁ ଲୋକପ୍ରତିନିଧିମାନେ ଆଗକୁ ଆସିଛନ୍ତି।
ଓ୍ବାସିଂଟନର ୟୁନାଇଟେଡ୍ ମେଡିକାଲ୍ ସେଣ୍ଟରରେ କମଳା ହ୍ୟାରିସ୍ ଓ ତାଙ୍କ ସ୍ବାମୀ ଡୋଗ୍ ଏମହୋଫ୍ ମଡର୍ଣ୍ଣା କରୋନା ଟିକା ନେଇଛନ୍ତି। ମଙ୍ଗଳବାର ମଡର୍ଣ୍ଣା କରୋନା ଟିକାର ପ୍ରଥମ ଡୋଜ୍ ନେବା ବେଳେ କ୍ୟାରିସ୍ କହିଛନ୍ତି, ‘ଲେଟ୍ସ୍ ଡୋ ଇଟ୍।’ ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ଭ୍ୟାକ୍ସିନ୍ ଗ୍ରହଣ କରିବାର ସପ୍ତାହ ପରେ ହ୍ୟାରିସ୍ ଟିକା ଗ୍ରହଣ କରିଛନ୍ତି।
ହ୍ୟାରିସ୍ କରୋନା ଟିକା ନେବା ପରେ କହିଛନ୍ତି, ଏହା ଜମା କଷ୍ଟଦାୟକ ନୁହେଁ ସମସ୍ତେ ନିଅନ୍ତୁ ବୋଲି । ଏହା ନିଜର ତଥା ନିଜ ପରିବାର ଜୀବନ ବଞ୍ଚାଇବା ପାଇଁ ଜରୁରି। ଭ୍ୟାକ୍ସିନ୍ ପ୍ରସ୍ତୁତ କରିଥିବା ଓ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଥିବା ବୈଜ୍ଞାନିକଙ୍କୁ ବିଶ୍ବାସ କରେ ତେଣୁ ଅନୁରୋଧ କରୁଛି ସମସ୍ତେ ଭ୍ୟାକ୍ସିନ୍ ନିଅନ୍ତୁ ବୋଲି ମଧ୍ୟ କମଳା ହ୍ୟାରିସ୍ ଆମେରିକାବାସୀଙ୍କୁ କହିଛନ୍ତି।
ତେବେ ହ୍ୟାରିସ୍ ମଡର୍ଣ୍ଣା କରୋନା ଟିକା ନେବା ବେଳର ଭିଡିଓ ଲାଇଭ୍ ଷ୍ଟ୍ରିମିଂ ହୋଇଥିଲା। ଯାହାଦ୍ବାରା ଆମେରିକାବାସୀଙ୍କ ମନରୁ କରୋନା ଟିକା ନେଇ ଥିବା ଶଙ୍କା ଦୂର ହୋଇପାରିବ। ଏବେ ଆମେରିକାରେ ଦୁଇଟି କରୋନା ଟିକା ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ପାଇଛି। ଗୋଟିଏ ଫାଇଜର ଓ ଅନ୍ୟଟି ମଡର୍ଣ୍ଣା କରୋନା ଟିକା ଆମେରିକାରେ ବ୍ୟବହାର ପାଇଁ ଅନୁମତି ପାଇଛି। ଏହା ପୂର୍ବରୁ ଜୋ ବାଇଡେନ୍ ଓ ତାଙ୍କ ପତ୍ନୀ ଜିଲ ବାଇଡେନ୍ ଫାଇଜର ଟିକାର ପ୍ରଥମ ଡୋଜ୍ ଡିସେମ୍ବର ୨୧ରେ ଗ୍ରହଣ କରିଥିଲେ।