Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ କମଲ ନାଥଙ୍କ ସ୍ୱାଗତ

31/07/2020 at 4:31 PM

ଭୋପାଲ ୩୧।୭:  ଅଗଷ୍ଟ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ଶ୍ରୀରାମ ମନ୍ଦିର ଲାଗି ଶିଳାନ୍ୟସ କରିବେ। ସାରା ଦେଶରେ ଏବେ ଉତ୍ସବର ମାହୋଲ। ଏଥିରେ ପୂର୍ବତନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ମଧ୍ୟପ୍ରଦେଶ କଂଗ୍ରେସ ସଭାପତି କମଲ ନାଥ ଅଯୋଧ୍ୟା ଶ୍ରୀରାମ ମନ୍ଦିର ନିର୍ମାଣକୁ ସ୍ୱାଗତ କରିଛନ୍ତି। ଏ ନେଇ ସେ ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଏକ ପୋଷ୍ଟ କରିଥିବା ବେଳେ ଅଯୋଧ୍ୟା ଶ୍ରୀରାମ ମନ୍ଦିର ନିର୍ମାଣକୁ ସ୍ୱାଗତ କରୁଥିବା ଉଲ୍ଲେଖ କରିଛନ୍ତି।

ଗତ ମାର୍ଚ୍ଚ ମାସରେ କମଲ ନାଥଙ୍କ ସରକାର ରାଜ୍ୟ ବିଧାନସଭାରେ ସଂଖ୍ୟାଗରିଷ୍ଠତା ହରାଇଥିଲେ। ଫଳରେ ତାଙ୍କୁ ପଦରୁ ଇସ୍ତଫା ଦେବାକୁ ପଡିଥିବା ବେଳେ ରାଜ୍ୟରେ ବିଜେପି ସରକାର ପୁଣି କ୍ଷମତାକୁ ଫେରିଛି। ତେବେ ରାଜନୈତିକ ଟଣାଓଟରାରୁ କମଲ ନାଥ ଊର୍ଦ୍ଧ୍ୱକୁ ଯାଇ ରାମ ମନ୍ଦିର ନିମନ୍ତେ ନିଜର ସମର୍ଥନ ଜଣାଇଛନ୍ତି।

କମଲ ନାଥ ତାଙ୍କ ଟ୍ୱିଟ୍‌ ବାର୍ତ୍ତାରେ ଅଯୋଧ୍ୟା ଶ୍ରୀରାମ ମନ୍ଦିର ଲାଗି ସାରା ଦେଶ ଦୀର୍ଘ ଦିନରୁ ଅପେକ୍ଷା କରି ରହିଥିଲା ବୋଲି ଉଲ୍ଲେଖ କରିଛନ୍ତି। ଏଠାରେ ରାମ ମନ୍ଦିରର ନିର୍ମାଣ ଭାରତବାସୀଙ୍କ ସହମତିରେ ହେଉଛି। ଏହା କେବଳ ଭାରତରେ ହିଁ ସମ୍ଭବ ବୋଲି ସେ ଉଲ୍ଲେଖ କରିଥିବା ବେଳେ ଶେଷରେ ‘ଜୟ ଶ୍ରୀ ରାମ’  ଲେଖିଛନ୍ତି। ଦେଶର ବରିଷ୍ଠ କଂଗ୍ରେସ ନେତାଙ୍କ ମଧ୍ୟରେ କମଲ ନାଥ ଅନ୍ୟତମ ଓ ସର୍ବମାନ୍ୟ ଧର୍ମନିରପେକ୍ଷ ନେତା ମଧ୍ୟ। ତେବେ ରାମମନ୍ଦିର ନିର୍ମାଣ ଲାଗି ତାଙ୍କର ଆନ୍ତରିକ ସମର୍ଥନ ଉଲ୍ଲେଖ ଯୋଗ୍ୟ ବୋଲି ଏବେ ରାଜନୈତିକ ମହଲରେ ବିଚାର କରାଯାଉଛି।

   Related Posts