କମଲନାଥ ପୁରା ପଜିଟିଭ୍ : ରାଜ୍ୟପାଳଙ୍କୁ ଭେଟି ଜଣାଇଦେଲେ, “ ଶକ୍ତି ପରୀକ୍ଷା ପାଇଁ ମୋ ସରକାର ପ୍ରସ୍ତୁତ “

Published By : Prameya-News7 Bureau | March 13, 2020 IST

  ଭୋପାଲ ୧୩/୦୩ : ମୋ ସରକାର ପ୍ରତି ବିପଦ ନାହିଁ । ସରକାରର ବହୁମତ ଥିଲା ଏବଂ ଏବେ ବି ଅଛି । ଏପରି ଦାବି କରିଆସୁଥିବା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ବିଜେପି ଦାବିନେଇ ଆଲୋଚନାର ଗୋଟିଏ ଦିନ ପରେ ରାଜ୍ୟପାଳଙ୍କୁ  ଭେଟି ବିଧାନସଭାରେ ଶକ୍ତି ପରୀକ୍ଷା ଦେବାକୁ  ସେ ପ୍ରସ୍ତୁତ ବୋଲି ଜଣାଇଦେଇଛନ୍ତି । ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେବାପରେ ମଧ୍ୟପ୍ରଦେଶର ଘନୀଭୂତ ରାଜନୈତିକ ଝଡ ଥମିବାର ନାଁ ନେଉନାହିଁ | ବିଦ୍ରୋହୀ ବିଧାୟକଙ୍କ ଯୋଗୁଁ କମଲନାଥଙ୍କ କଂଗ୍ରେସ ସରକାର  ସଂକଟରେଥିବା ଆଲୋଚନା ବେଳେ, ହଠାତ  ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ଭେଟି ତାଙ୍କ ସରକାର ସୁରକ୍ଷିତ ବୋଲି ବାର୍ତ୍ତା ଦେଇଛନ୍ତି କମଲନାଥ । ତେବେ ସେ  ଅଭିଯୋଗ କରିଛନ୍ତି ଯେ, ବିଜେପି କଂଗ୍ରେସର ୨୨ ଜଣ ବିଧାୟକଙ୍କୁ ଜୋରଜବରଦସ୍ତି ନିଜଦଳରେ ସାମିଲ କରେଇବା ପାଇଁ ଚେଷ୍ଟା କରୁଛି |

କମଲନାଥ ରାଜ୍ୟପାଳଙ୍କୁ ସାକ୍ଷାତ କରି ଏକ ଚିଠି ମଧ୍ୟ ଦେଇଛନ୍ତି । ଯେଉଁଥିରେ ସେ ଅଭିଯୋଗ କରିଛନ୍ତି ଯେ, ବିଜେପି କଂଗ୍ରେସ ବିଧାୟକଙ୍କୁ  ବଲପୂର୍ବକ ଅଟକ ରଖିଛି ଏବଂ ବିଜେପିରେ ସାମିଲ କରେଇବାକୁ ଚେଷ୍ଟା କରୁଛି | ଏହା ଆଇନ ବିରୋଧୀ ବୋଲି ଚିଠିରେ ଦର୍ଶାଇଛନ୍ତି କମଲନାଥ | ପ୍ରଥମେ ମାର୍ଚ୍ଚ ୪/୫ ତାରିଖରେ ବିଜେପି ଏହି କଂଗ୍ରେସ ବିଧାୟକଙ୍କୁ ବେଙ୍ଗାଲୁରୁ ପଠାଇବା ପାଇଁ ଚେଷ୍ଟା କରିଥିଲା କିନ୍ତୁ ବିଜେପିର ପ୍ରଥମ ଚେଷ୍ଟା ବିଫଳ ହୋଇଥିଲା ବୋଲି ସେ କହିଛନ୍ତି | ଏହାପରେ ମାର୍ଚ୍ଚ ୮ ତାରିଖରେ ବିଜେପି ପୁଣି ୨ୟ ଥର ଚେଷ୍ଟା କରିଥିଲା | ମାର୍ଚ୍ଚ ୮ ତାରିଖରେ ବିଜେପିର ପ୍ରୋୟୋଜୀତ ଏକ ବିମାନରେ ୧୯ଜଣ ବିଧାୟକଙ୍କୁ ବେଙ୍ଗାଲୁରୁକୁ ପଠାଇଥିଲା | ଏମାନଙ୍କୁ ଏକ ରିସୋର୍ଟ୍‌ସରେ ରହିବା ବ୍ୟବସ୍ଥା କରିଛି ବିଜେପି | ତେବେ ଏହି ୧୯ ବିଧାୟକଙ୍କୁ ବିଜେପି ବନ୍ଧକ କରି ରଖିଛି ବୋଲି କମଲନାଥ ଅଭିଯୋଗ କରିଛନ୍ତି | ସେମାନଙ୍କ ସୁରକ୍ଷା ପାଇଁ ପୋଲିସ ମଧ୍ୟ ନିୟୋଜିତ କରାଯାଇଛି | କଂଗ୍ରେସର କୌଣସି ନେତା କିମ୍ବା ମନ୍ତ୍ରୀ ସେମାନଙ୍କୁ ସାକ୍ଷାତ କରିପାରୁ ନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି |

କଂଗ୍ରେସ ମନ୍ତ୍ରୀ ଜିତୁ ପଟବୱାରୀ ଓ ଲେଖନ ସିଂହ ଯାଦବ ବିଧାୟକଙ୍କୁ ସାକ୍ଷାତ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ କର୍ଣ୍ଣାଟକ ପୋଲିସ ସେମାନଙ୍କୁ ବଲପ୍ୟୋଗ କରି ଅଟକାଇବା ସହ  ଥାନାକୁ ନେଇଯାଇଥିଲା ବୋଲି  କମଲନାଥ ଅଭିଯୋଗ କରିଛନ୍ତି ।

ତେବେ ମାର୍ଚ୍ଚ ୧୬ ତାରିଖରେ ହେବାକୁ ଥିବା ବଜେଟ ଅଧିବେଶନ ବେଳେ କଂଗ୍ରେସ ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହୋଇ ବହୁମତ ସାବ୍ୟସ୍ତ କରିବାକୁ ପାଇଁ ପ୍ରସ୍ତୁତ ଅଛି ବୋଲି କମଲନାଥ ରାଜ୍ୟପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି | ଏସବୁ ସତ୍ତ୍ବେ ଗଣତନ୍ତ୍ର ବିପଦରେ ଅଛି ବୋଲି ସେ ତାଙ୍କ ଚିଠିରେ ଲେଖିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.