'ରକ୍ତ ଗୋଲାପ'...ସିନେମାର କଥା...୪୩ ବର୍ଷ ପରେ ବି ସତେଜ ସ୍ମୃତି, ଓଡିଆ ଶ୍ରୋତାଙ୍କୁ ପ୍ରଥମ ଗୀତ ଶୁଣାଇଥିଲେ ଦକ୍ଷିଣ ଭାରତୀୟ ଗାୟିକା

Published By : Prameya-News7 Bureau | April 09, 2021 IST

ଭୁବନେଶ୍ୱର ୦୯/୦୪ : ଓଡ଼ିଆ ସିନେମାର ଇତିହାସ ଯେତିକି ଦୀର୍ଘ ସେତିକି ସଫଳତା ସାଉଁଟିଛି ଏହି ସିନେମା ଶିଳ୍ପ । ମନୋରଞ୍ଜନର ଖୋରାକ ସହ କାହାଣୀ, ନିର୍ଦେଶନା, ସଂଗୀତ ଓ ଅଭିନୟ ସବୁଥିରେ ଛାପ ରଖିଛି କାଲିର ସିନେମା । ସ୍ମୃତି ଫର୍ଦରେ ଏବେ ବି ଅନେକ ଓଡ଼ିଆ ସିନେମାର ସଫଳତା ସତେଜ ରହିଛି । ୭୦-୮୦ ଦଶକର ଏପରି ଏକ ସଫଳ ସିନେମା 'ରକ୍ତ ଗୋଲାପ' ଷ୍ଟାର କଷ୍ଟ ପାଇଁ ସଂଗୀତ ପର୍ଯ୍ୟନ୍ତ ସବୁଥିରେ ଏହା ଏକ ନିଆରା କାହାଣୀ ଲେଖିଯାଇଛି। ସେତେବେଳେ ବି ଓଡ଼ିଆ ସିନେମା ପ୍ରତି ଆକର୍ଷିତ ଥିଲେ ଅଣଓଡ଼ିଆ ଅଭିନେତ୍ରୀ । ନିର୍ଦ୍ଦେଶନା ଯେପରି ଥିଲା, ଗୀତିକାର ଓ ସଂଗୀତ ନିର୍ଦ୍ଦେଶକଙ୍କ ଟ୍ୟାଲେଣ୍ଟ ବି ସେପରି ଥିଲା । ଏବେ ବି ସେହି ଗୀତ ସୃତି ମଧୁର ହୋଇ ରହିଛି। ଏହି ବିଶେଷ ସ୍ତମ୍ଭ 'କାଲିର ସିନେମା'ରେ 'ରକ୍ତ ଗୋଲାପ'ର କଥା ।     

{"id":435745,"sizeSlug":"large","linkDestination":"none"}

୧୯୭୭ ନଭେମ୍ବର ୯ ତାରିଖରେ ପରଦାକୁ ଆସିଥିଲା ରକ୍ତ ଗୋଲାପ । କୋରାପୁଟ ଜିଲ୍ଲାର ପ୍ରଥମ ପ୍ରଯୋଜିତ ସିନେମା “ରକ୍ତ ଗୋଲାପ” ରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଛବି ପ୍ରତିଫଳିତ ହୋଇଥିଲା  । ଗୁପ୍ତେଶ୍ବର, ନାଟକ ଡଙ୍ଗର, ଅପର କୋଲାବ, ବାଗରା ଜଳପ୍ରପାତ, ସୁନାବେଡ଼ାର ବିଭିନ୍ନ ମନୋରମ ଲୋକେସନରେ ସୁଟିଂ କରାଯାଇଥିଲା ରକ୍ତ ଗୋଲାପ। ସିନେମାର ପାଞ୍ଚଟି ଗୀତ ମାଡ୍ରାସର ହାଇଫାଇ ଷ୍ଟୁଡିଓରେ ରେକର୍ଡିଂ କରାଯାଇଥିଲା।

ଗୀତ 'ଆଖିରେ ଆଖିରେ ଦେଲୁ ତୁ ଯୋଖିରେ'…ଗୀତରେ କଣ୍ଠଦାନ କରିଥିଲେ ଅକ୍ଷୟ ମହାନ୍ତି ଏବଂ ସେ ସମୟର ଚର୍ଚ୍ଚିତ ଦକ୍ଷିଣ ଭାରତୀୟ ପପ୍ ଗାୟିକା ରାମୋଲା । ଦକ୍ଷିଣ ଭାରତୀୟ ଗାୟିକା କୌଣସି ଓଡ଼ିଆ ଗୀତରେ କଣ୍ଠଦାନ କରିବା ଓଡ଼ିଆ ସିନେମା ପାଇଁ ଥିଲା ପ୍ରଥମ । ଏହି ଗୀତଟି କୋରାପୁଟର ହିନ୍ଦୁସ୍ଥାନ ଏରୋନେଟିକ ଲିମିଟେଡ୍ ଅତିଥି ଭବନ ଏବଂ ପାର୍କରେ ସୁଟିଂ କରାଯାଇଥିଲା ।

{"id":435746,"sizeSlug":"large","linkDestination":"none"}

ଅଭିନେତା ଶ୍ରୀରାମ ପଣ୍ଡା, ସୁରେଶ ମିଶ୍ରଙ୍କ ସହିତ ଚର୍ଚ୍ଚିତ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ହାଲାମ୍ ନାୟିକା ଭାବରେ ଅଭିନୟ କରିଥିଲେ । ହିନ୍ଦି ସିନେମା ରାନୀ ଔର ଲାଲପରୀରେ ଅଭିନୟ କରି ସେତେବେଳେ ଚର୍ଚ୍ଚିତ ଥିଲେ ହାଲାମ୍ । ତାଙ୍କ ବ୍ୟତୀତ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ବତ୍ସଲା ମଧ୍ୟ ଏହି ସିନେମାରେ ଅଭିନୟ କରିଥିଲେ ।

“ରକ୍ତ ଗୋଲାପ”ର ନାୟିକା ଭାବରେ ପ୍ରଥମେ ତନ୍ଦ୍ରା ରାୟଙ୍କୁ ଅଫର ଦିଆଯାଇଥିଲା । କିନ୍ତୁ ସେ ଅନ୍ୟ ସିନେମାରେ ବ୍ୟସ୍ତ ଥିବା ଯୋଗୁଁ ସମୟ ଦେଇ ପାରିନଥିଲେ । ଯେଉଁଥିପାଇଁ ଅନ୍ୟ ଅଭିନେତ୍ରୀଙ୍କୁ ରକ୍ତ ଗୋଲାପରେ ନିଆଯାଇଥିଲା ।

ସିନେମାର ସୁପରହିଟ୍ ଗୀତ ଥିଲା “ଭୋଳାରେ ଭୋଳା। ଏହି ଗୀତକୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା କିନ୍ତୁ ସେତେବେଳେ ପ୍ରଥମେ ଏହି ଗୀତଟିକୁ କାଟି ଦିଆଯାଇଥିଲା । ତେବେ ସଙ୍ଗୀତକାର ଧନଞ୍ଜୟ ଶତପଥୀଙ୍କ ଜିଦ୍ ଯୋଗୁଁ ଏହି ଗୀତ ପୁଣି ରକ୍ତ ଗୋଲାପରେ ସ୍ଥାନ ପାଇଥିଲା । ଭୀମଶ୍ବର ରାଓଙ୍କ ନିର୍ଦ୍ଦେଶିତ ଧନଞ୍ଜୟ ଶତପଥୀଙ୍କ ସଙ୍ଗୀତ ସେତେବେଳେ ସ୍ମୃତିମଧୁର ଥିଲା ।

{"id":435748,"sizeSlug":"large","linkDestination":"none"}

ବିଜୟ କୁମାର ନନ୍ଦଙ୍କ କାହାଣୀକୁ ପ୍ରଯୋଜନା କରିଥିଲେ ବିଭୂତି ମିଶ୍ର ଏବଂ ଶଶାଙ୍କ ଶେଖର ମିଶ୍ର। ଅଭିନୟରେ ଶ୍ରୀରାମ ପଣ୍ଡା, ସୁରେଶ ମିଶ୍ର, ବନଜା ମହାନ୍ତି, ହାଲାମ, ବତ୍ସଲା, ରାଧା ପଣ୍ଡା, ରମେଶ ପାଣିଗ୍ରାହୀ ଥିଲେ।ରକ୍ତ ଗୋଲାପକୁ ୪୪ ବର୍ଷ ପରେ ବି ମନେପକାନ୍ତି ସିନେ କ୍ରିଟିକ୍ । ନିର୍ଦେଶନା ଠାରୁ କାଷ୍ଟିଂ ଗୀତିକାରଙ୍କ ଠାରୁ ଗାୟକ ଗାୟିକା ସୁଟିଂ ଲୋକେସନ ଏବଂ କଳାକାରଙ୍କ ଅଭିନୟ ସବୁଥିରେ ନିଆରା ହୋଇରହିଛି ରକ୍ତ ଗୋଲାପ। ପ୍ରେମର ସନ୍ତକ ଭଳି ଏବେ ବି ତାର ସ୍ମୃତି ତାଜା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.