ଜଗାକୁ ଏକା କରି ଚାଲିଗଲା କାଳିଆ, ମା' ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ

Published By : Prameya-News7 Bureau | November 26, 2020 IST

କନ୍ଧମାଳ ୨୬।୧୧: ଜଗାକୁ ଏକା କରି ଚାଲିଗଲା କାଳିଆ । ବୁଧବାର କଟକ ବଡ ମେଡିକାଲରେ ପ୍ରାଣ ହରାଇଛି ଯୋଡା ମୁଣ୍ଡରୁ ଅଲଗା ହୋଇଥିବା ଶିଶୁ କାଳିଆ । କାଳିଆର ମୃତ୍ୟୁ ଖବର ଶୁଣିବା ପରେ ମିଲୁପଡା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସମସ୍ତଙ୍କ ଆଖିରେ ଲୁହ । କାହା ଆଖିରୁ ଲୁହ ଶୁଖୁନି ।

କାଳିଆର ମୃତଦେହ ଫିରିଙ୍ଗିଆ ବ୍ଲକର ମିଲୁପଡା ଗାଁରେ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ସକାଳ ୬ଟା ବେଳେ ଆମ୍ବୁଲାନ୍ସ ଯୋଗେ କାଳିଆର ମୃତଦେହ ଗାଁରେ ପହଞ୍ଚିଥିଲା । ଏହାପରେ କାଳିଆକୁ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା । ସମସ୍ତଙ୍କ ଆଖିରେ ଲୁହ । ବାହୁନି ବାହୁନି କାନ୍ଦୁଥିଲେ ସମସ୍ତେ । ଗାଁ ମଶାଣୀରେ ଆଦିବାସୀ ପରମ୍ପରା ଅନୁଯାୟୀ କାଳିଆର ଶେଷକୃତ ସମ୍ପନ୍ନ କରାଯିବ ।

ଉଲ୍ଲେଖଯୋଗ୍ୟ ଯେ, ଯୋଡା ମୁଣ୍ଡ ଜଗା-କାଳିଆ ସଂପର୍କରେ ପ୍ରଥମେ ନ୍ୟୁଜ୍ ସେଭେନ୍ ରେ ଖବର ପ୍ରସାରଣ ପରେ ତତ୍ପରତା ପ୍ରକାଶ ପାଇଥିଲା । ଚିକିତ୍ସା ପାଇଁ ଉଭୟଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେଠାରେ ଉଭୟଙ୍କର ଅପରେସନ କରାଯାଇଥିଲା । ଅପରେସନ ସଫଳ ବି ହୋଇଥିଲା । ଜଗା-କାଳିଆ ଯୋଡା ମୁଣ୍ଡରୁ ଅଲଗା ହୋଇଥିଲେ । ସେମାନଙ୍କ ଆରୋଗ୍ୟ କାମନା କରି ଗାଁରେ ପୂଜାର୍ଚ୍ଚନା ମଧ୍ୟ କରାଯାଇଥିଲା । ଏବେ ହଠାତ୍ କାଳିଆର ମୃତ୍ୟୁ ଖବରକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଗ୍ରାମବାସୀ । ଉଭୟେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଗାଁ ଫେରିବେ ବୋଲି ଭାବିଥିଲେ ଗାଁଲୋକ । ଆଜି କାଳିଆ ଫେରିଛ ସତ ହେଲେ ଜୀବନ୍ତ ନୁହେଁ ମୃତ । କାଳିଆର ମୃତ୍ୟୁ ପରେ ଜଗା ସୁସ୍ଥ ହୋଇ ଗାଁକୁ ଫେରିଆସୁ ବୋଲି ପରିବାର ଲୋକେ କାମନା କରିଛନ୍ତି ।

ଏଭଳି ଦୁଃଖଦ ଖବର ପାଇ ଫିରିଙ୍ଗିଆ ବିଡିଓ ଶାନ୍ତନୁ ନା ଏକ କାଳିଆର ଗାଁକୁ ଯାଇ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ମଧ୍ୟ ଦେଇଛନ୍ତି । ଗୁରୁବାର ଦିନ ୧୧ଟା ବେଳେ କାଳିଆର ଶେଷକୃତ ସମ୍ପନ୍ନ ହେବା ନେଇ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.