ଆଜି କଳାଷ୍ଟମୀ ବ୍ରତ: ଏହିଦିନ କାଳଭୈରବଙ୍କ ପୂଜା କଲେ ପାପରୁ ମିଳିଥାଏ ମୁକ୍ତି, ଦୂର ହୋଇଥାନ୍ତି ଶତ୍ରୁ
4/04/2021 at 11:50 AM

ଭୁବନେଶ୍ୱର ୦୪/୦୪ : ପ୍ରତି ମାସର ଅଷ୍ଟମୀ ତିଥିକୁ କଳାଷ୍ଟମୀ ପର୍ବ ପାଳନ କରାଯାଇଥାଏ। କଳାଷ୍ଟମୀକୁ କାଳଭୈରବାଷ୍ଟମୀ ବା ଭୈରବାଷ୍ଟମୀ ମଧ୍ୟ କୁହାଯାଏ। ଚୈତ୍ର ମାସର କଳାଷ୍ଟମୀ ପର୍ବ ରବିବାର ଅର୍ଥାତ ଏପ୍ରିଲ ୪ ତାରିଖରେ ପଡିଛି। ଏହି ଦିନ ଭଗବାନ ଶିବଙ୍କ ରୌଦ୍ର ରୂପ ଅର୍ଥାତ କାଳଭୈରବଙ୍କ ବଟୁକ ରୂପକୁ ପୂଜା କରାଯାଇଥାଏ। କାଳଭୈରବଙ୍କ ବଟୁକ ରୂପକୁ ପୂଜା କରିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ। ଆଜିର ଦିନରେ କାଳଭୈରବଙ୍କୁ ପୂଜା କଲେ ଶତ୍ରୁ ଓ ସବୁ ପାପରୁ ମୁକ୍ତି ମିଳିଥାଏ ବୋଲି କୁହାଯାଏ। କାଳଭୈରବଙ୍କ ପୂଜା ଓ ମହତ୍ତ୍ୱ କଣ ଏବଂ କିପରି ପୁଜଇ କରିବେ ପଢନ୍ତୁ …

ଏହିଭଳି କରନ୍ତୁ କାଳଭୈରବଙ୍କ ପୂଜା – କଳାଷ୍ଟମୀ ଦିନ ସକାଳୁ ଉଠି ନିତ୍ୟ କାର୍ଯ୍ୟ ସାରି ଭଗବାନ ଭୈରବଙ୍କୁ ଧ୍ୟାନ କରନ୍ତୁ। ଧ୍ୟାନ କରିବା ପରେ ଭୈରବଙ୍କୁ ସିନ୍ଦୁର, ଚାଉଳ, ଫୁଲମାଳ ଫୁଲ ଅର୍ପଣ କରନ୍ତୁ। ଏହାପରେ ଭଗବାନ ଭୈରବଙ୍କୁ ପୂଜା କରନ୍ତୁ ଏବଂ ୧୦୮ ଥର ଭୈରବ ମନ୍ତ୍ର ଜପ କରିବା ଉଚିତ। ଏହାପରେ ମନ୍ଦିର ଯାଇ କଜଳ ଓ କର୍ପୁର ଦାନ କରିବା ଉଚିତ। ଏହାଦ୍ୱାରା ବ୍ୟକ୍ତିଙ୍କ ଯଶ, ଧନ, ସଫଳତା ମିଳିବ ସହ କଷ୍ଟରୁ ମୁକ୍ତି ମିଳିଥାଏ।

କଳାଷ୍ଟମୀ ବ୍ରତର ମହତ୍ତ୍ୱ – କାଳଭୈରବଙ୍କ ପୂଜା କଲେ ବ୍ୟକ୍ତିକୁ ସବୁ ପାପ, ନକାରାତ୍ମକ ଶକ୍ତି ଓ ଶତ୍ରୁଙ୍କ ଠାରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି। କାଳଭୈରବଙ୍କ ପୂଜା କଲେ ସବୁ ପ୍ରକାର ଭୟ, ଗୁଣିଗାରେଡି, ଭୁତ-ପ୍ରେତ ଆଦି ସମସ୍ୟାର ଅନ୍ତ ଘଟିଥାଏ। ଏହାଦ୍ୱାରା ଗ୍ରହମାନଙ୍କ ନକାରାତ୍ମକ ପ୍ରଭାବରୁ ମଧ୍ୟ ମୁକ୍ତି ମିଳିଥାଏ।

ଏହିଭଳି ଦୂର କରନ୍ତୁ ନକାରାତ୍ମକ ଶକ୍ତି – ଯଦି ଜଣେ ବ୍ୟକ୍ତି ନକାରାତ୍ମକ ଶକ୍ତି ଯୋଗୁଁ ଚିନ୍ତିତ ତାହେଲେ କଳାଷ୍ଟମୀ ଦିନ କଲା ରାଶି, କଲା ବିରି, କଲା କପଡା ଓ ୧୧ ଟଙ୍କା ଭଗବାନ ଭୈରବଙ୍କ ମନ୍ଦିର ଅର୍ପଣ କରିବା ଉଚିତ। ଏହାଦ୍ୱାରା ସବୁ ପ୍ରକାର ନକାରାତ୍ମକ ଶକ୍ତି ଦୂର ହୋଇଥାଏ।