ରାଜପଥରେ ଦେଖିବାକୁ ମିଳିଲା କଳାହାଣ୍ଡି ‘ବଜାସାଲ୍’ ନୃତ୍ୟର ଝଲକ, ମନ ମୋହିଲା ଓଡିଶାର ଉତ୍କର୍ଷ କଳା ପ୍ରଦର୍ଶନ

Published By : Prameya-News7 Bureau | January 26, 2021 IST

ଭୁବନେଶ୍ବର ୨୬।୧: ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ । ନୂଆଦିଲ୍ଲୀ ସମେତ ସାରା ଦେଶରେ କଡା ସୁରକ୍ଷା ମଧ୍ୟରେ ପାଳିତ ହେଉଛି ସାଧାରଣତନ୍ତ୍ର ଦିବସ । ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଦେଶରେ ସମ୍ବିଧାନ ପ୍ରଣୟନ କରାଯାଇଥିଲା । ସେହି ଦିନକୁ ରାଷ୍ଟ୍ରୀୟ ଉତ୍ସବ ଭାବେ ପାଳନ କରାଯାଉଛି । ପ୍ରତିବର୍ଷ ଭଳି ନୂଆଦିଲ୍ଲୀ ରାଜପଥରେ ପରେଡ୍ ଆୟୋଜିତ ହୋଇଛି । ସାରା ବିଶ୍ବ ଭାରତର ଶକ୍ତି, ସଂସ୍କୃତି ଓ ପରମ୍ପରାର ଝଲକ୍ ଦେଖିଛି । ରାଜପଥରେ ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହେବା ସହ ବିଭିନ୍ନ ପ୍ରକାର ନୃତ୍ୟର ଝଲକ ମଧ୍ୟ ଦେଖିବାକୁ ମିଳିଛି ।

{"id":398723,"sizeSlug":"large","linkDestination":"none"}

ଚଳିତ ବର୍ଷ ରାଜପଥରେ ପରେଡ୍‌ରେ ଓଡିଶାର ପ୍ରଜ୍ଞାପନ ମେଢ ବାଦ୍ ପଡିଥିବା ବେଳେ କଳାହାଣ୍ଡି ଜିଲ୍ଲାର ‘ବଜାସାଲ୍’ ନୃତ୍ୟର ଝଲକ ଦେଖିବାକୁ ମିଳିଛି । ଓଡିଶାର ପାରମ୍ପରିକ ‘ବଜାସାଲ୍’ ନୃତ୍ୟ ଦଳ ରାଜପଥରେ ନୃତ୍ୟ ପରିବେଷଣ କରିଛନ୍ତି । ଓଡିଶାର ଉତ୍କର୍ଷ କଳା ପ୍ରଦର୍ଶନ କରି ଦର୍ଶକଙ୍କ ମନ ମୋହିଛନ୍ତି ଏହି ନୃତ୍ୟ ଦଳ ।

{"id":398724,"sizeSlug":"large","linkDestination":"none"}

କଳାହାଣ୍ଡି ଭବାନୀପାଟଣାର ପ୍ରତିଭା ଅନୁଷ୍ଠାନ ‘ବଜାସାଲ୍’ ନୃତ୍ୟ ପରିବେଷଣ କରିଛନ୍ତି । ଅନୁଷ୍ଠାନର ୮୦ଜଣ ଶିଳ୍ପୀ ଏଥିରେ ସାମିଲ୍ ହୋଇଥିଲେ । ପୂର୍ବ ଭାରତର ଏକମାତ୍ର ଲୋକନୃତ୍ୟ ଭାବେ କଳାହାଣ୍ଡିର ‘ବଜାସାଲ୍’ ରାଜପଥରେ ନୃତ୍ୟ ପରିବେଷଣ ପାଇଁ ମନୋନୀତ ହୋଇଥିବାରୁ ସମଗ୍ର ଓଡିଶାବାସୀ ଗର୍ବିତ । କଳାହାଣ୍ଡି ବୀରବାଦ୍ୟ 'ଘୁମୁରା' ରାଜପଥରେ ପ୍ରଦର୍ଶନର ୨୦ ବର୍ଷ ପରେ ‘ବଜାସାଲ୍’ ନୃତ୍ୟ ପ୍ରଦର୍ଶନ ପାଇଁ ମନୋନୀତ ହୋଇଥିଲା ।

{"id":398725,"sizeSlug":"large","linkDestination":"none"}

‘ବଜାସାଲ୍’ ହେଉଛି ଏକ ପାରମ୍ପରିକ ଲୋକନୃତ୍ୟ, ଯାହାକୁ ବିବାହ ଉତ୍ସବରେ ଶୁଣିବାକୁ ମିଳିଥାଏ । କଳାହାଣ୍ଡିର ସ୍ଥାନୀୟ ଅଞ୍ଚଳରେ ବିବାହ ମଣ୍ଡପ ନିକଟରେ ‘ବଜାସାଲ୍’ ୩ ଦିନ ଧରି ବାଜିଥାଏ । ଏହି ବାଜାର ତାଳେ ତାଳେ ବିବାହର ରୀତିନୀତି ଅନୁଯାୟୀ ପୁଅ ଓ ଝିଅ ସଂଘବଦ୍ଧ ଭାବେ ନୃତ୍ୟ ପରିବେଷଣ କରିଥାନ୍ତି । ଏହି ସମୟରେ ପୁଅ ଓ ଝିଅ ଘର ପକ୍ଷରୁ ନୃତ୍ୟ ପରିବେଷଣ ହୋଇଥାଏ । ୧୦୦ ବର୍ଷ ତଳର ଏହି ନୃତ୍ୟକୁ ପରବର୍ତୀ ପର୍ଯ୍ୟାୟରେ ସାଂସ୍କୃତିକ ମଞ୍ଚ ଉପରେ ପରିବେଷଣ କରାଯାଇଥିଲେ । ଯାହା ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଆଦୃତ ହୋଇଥିଲା । ଯାହା ୨୦୧୯ ମସିହାରେ ରାୟପୁରଠାରେ ଅନୁଷ୍ଠିତ ଜାତୀୟ ଆଦିବାସୀ ନୃତ୍ୟ ମହୋତ୍ସବରେ ପ୍ରଥମ ସ୍ଥାନ ଅଧିକାର କରିଥିଲା ।

{"id":398726,"sizeSlug":"large","linkDestination":"none"}

‘ବଜାସାଲ୍’ ଲୋକ ନୃତ୍ୟ ସାଧାରଣତଃ ୧୫ ମିନିଟରୁ ଅଧିକ ସମୟ ଧରି ପରିବେଷଣ କରାଯାଇଥାଏ । ହେଲେ ସାଧାରଣତନ୍ତ୍ର ଦିବସ ପରେଡରେ ଏହା ମାତ୍ର ୩ ମିନିଟ୍ ପ୍ରଦର୍ଶିତ ହୋଇଛି । ରାଜପଥରେ ‘ଘୁମୁରା’ ପରେ ‘ବଜାସାଲ୍’ ନୃତ୍ୟ ପ୍ରଦର୍ଶନ ନିଶ୍ଚିତ ଭାବେ କଳାହାଣ୍ଡି ତଥା ରାଜ୍ୟ ପାଇଁ ଗୌରବର ବିଷୟ ।

ଗତବର୍ଷ ପରେଡ୍‌ରେ ଓଡିଶାର ପ୍ରଜ୍ଞାପନ ମେଢ ସ୍ଥାନ ପାଇଥିବା ବେଳେ ସାଂସ୍କୃତିକ ଦଳ ନୃତ୍ୟ ପରିବେଷଣ କରି ପ୍ରଥମ ପୁରସ୍କାର ପାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.