କଳାହାଣ୍ଡିର ଦୁଃଖ: ଗାଁ ମଝି ରାସ୍ତାରେ ବସି ପାଠ ପଢୁଛନ୍ତି ଛୋଟଛୋଟ ପିଲା
8/09/2018 at 6:48 PM

ଭବାନୀପାଟଣା ୯|୮ : କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକ ଲଟକାବାହାଲି ଗାଁ ମଝି ରାସ୍ତାରେ ବସି ପାଠ ପଢୁଛନ୍ତି ଛୋଟଛୋଟ ପିଲା । ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ଦୁଇ ବର୍ଷ ହେଲା ଏଭଳି ସ୍ଥିତିରେ ଚାଲିଛି ପାଢପଡା । ସରକାରୀ ସ୍କୁଲ ଗୃହ ନଥିବାରୁ ଗାଁ ଦାଣ୍ଡରେ ଚାଲିଛି ସ୍କୁଲ । ଯାହାକି ସର୍ବଶିକ୍ଷା ଆଭିଯାନ ଉପରେ ଲଗାଇଛି ପ୍ରଶ୍ନବାଚୀ । ସ୍କୁଲଗୃହ ବିପଦ ସଂକୁଳ ଘୋଷଣାର ୨ବର୍ଷ ପରେ ବି ଗୃହ ନିର୍ମାଣ ପାଇଁ ଟଙ୍କାଟିଏ ଅନୁଦାନ ଆସିନି । ଛାତ୍ରଛାତ୍ରୀଙ୍କ ଏଭଳି ସ୍ଥିତିରେ ପାଠପଢା ନେଇ ନ୍ୟୁଜ୍ ସେଭେନ୍ରେ ଖବର ପ୍ରସାରଣ ପରେ ଲଟକା ବାହାଲ ପ୍ରାଥମକି ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରିଛି ଶିକ୍ଷା ବିଭାଗ । ଆଉ ଛାତ୍ରଛାତ୍ରୀମାନଙ୍କୁ ୩କିଲୋମିଟର ଫଟକାମାଲ ପ୍ରାଥମିକ ସ୍କୁଲକୁ ସ୍ଥାନନ୍ତର କରାଯାଇଛି । ଯାହାକୁ ନେଇ ଅସନ୍ତୋଷ ତିବ୍ର ହୋଇଛି ।
ସରକାରୀ ରେକର୍ଡ ଅନୁଯାୟୀ ଲଟକାବାହାଲି ପ୍ରାଥମିକ ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୬୪ ଛାତ୍ର ଛାତ୍ରୀ ପଞ୍ଜିକୃତ ହୋଇଛନ୍ତି । ହେଲ ସେମାନଙ୍କ ପାଇଁ ସମସ୍ୟା ହୋଇଛି ବିଦ୍ୟାଳୟର ବିପଦ ସଂଙ୍କୁଳ ଗୃହ । ଯାହାକୁ ୨୦୧୭ ମସିହାରୁ ବିପଦ ସଂକୁଳ ଦର୍ଶ।ଯାଇଛି । ଏଯାଏ ଅନୁଦାନ ଆସୁନଥିବାରୁ ସ୍କୁଲ ନିର୍ମାଣ ହୋଇପାରୁନି । ଛାତ୍ର ଛାତ୍ରୀ ଙ୍କୁ ଗାଁ କମିଟି ବାଧ୍ୟ ହୋଇ ଅଙ୍ଗନବାଡି ଓ ପରେ ଜଣେ ବ୍ୟକ୍ତିଙ୍କ ନିର୍ମାଣଧୀନ କୋଠାରେ ଥଇଥାନ କରାଇଥିଲେ । ହେଲେ ଆଗଷ୍ଟ ୩୧ତାରିଖରେ ଘର ମାଲିକ ସେମାନଙ୍କୁ ତଡି ଦେବାରୁ ଛାତ୍ର ଛାତ୍ରୀ ଏବେ ଗାଁ ରାସ୍ତାରେ ପଢିବାକୁ ବାଧ୍ୟ ହେଉଛନ୍ତି । ତେବେ ସର୍ବଶିକ୍ଷା ଆଭିଯାନ ପ୍ରକଳ୍ପ ସଂଯୋଜକ ଗବାକ୍ଷ ନାଏକ ଖୁବ ଶୀଘ୍ର ଆନୁଦାନ ଆସିବ ଓ ଛାତ୍ରଛାତ୍ରୀଙ୍କୁ ଥଇଥାନ କରାଯିବ ବୋଲି ସଫେଇ ଦେଇଛନ୍ତି ।
୨୦୧୭ ମସିହାରୁ ଏହା ଜିଲ୍ଲା ପ୍ରଶାସନର ଜ୍ଞାତସାରରେ ଥିଲେ ମଧ୍ୟ ଛାତ୍ରଛତ୍ରୀଙ୍କ ମୌଳିକ ସମସ୍ୟା ପ୍ରତି ଧ୍ୟାନ ଦିଆଯାଉନି । ନ୍ୟୁଜ୍ ସେଭେନ୍ରେ ଏନେଇ ଖବର ପ୍ରସାରଣ ପରେ ପ୍ରଶାସନ କେବଳ ଧର୍ମକୁ ଆଖିଠାର ଭଳି ଲଟକାବାହାଲି ସ୍କୁଲ ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରିଦେଇ ଛୋଟଛୋଟ ପିଲାମାନଙ୍କୁ ୩କିଲୋମିଟର ଦୂର ଫଟକାମାଲ ପ୍ରାଥମିକ ସ୍କୁଲକୁ ସ୍ଥାନନ୍ତର କରିବା କିଭଳି ନ୍ୟାୟ ବୋଲି ଗ୍ରାମବାସୀ ପ୍ରଶ୍ନ ଉଠଇଠନ୍ତି ।