କଳାହାଣ୍ଡିର 'ସଂଗମ' କଳାକାର ଧାନବାଦରେ ପୁରସ୍କୃତ

Published By : Prameya-News7 Bureau | July 27, 2019 IST

ଭବାନୀପାଟଣା ୨୭|୭:  ଝାଡଖଣ୍ଡର ଧାନବାଦଠାରେ ଅଲ୍ ଇଣ୍ଡିଆ ଥିଏଟର୍ କାଉନ୍ସିଲ୍ ପକ୍ଷରୁ ଆୟୋଜିତ ସର୍ବଭାରତୀୟ ସାଂସ୍କୃତିକ ମହୋତ୍ସବ ‘କାଲାହୀରା-୨୦୧୯ରେ କଳାହାଣ୍ଡିର ‘ସଂଗମ’ ଅନୁଷ୍ଠାନର କଳାକାରମାନେ ବେଶ୍ ପ୍ରଶଂସିତ ହୋଇଛନ୍ତି । ଏଥିରେ ‘ସଂଗମ’ ପ୍ରଯୋଜିତ ତଥା ନାଟ୍ୟକାର ରାଜେନ୍ଦ୍ର ପାଢ଼ୀଙ୍କ ରଚିତ-ନିର୍ଦ୍ଦେଶିତ ନାଟକ ‘ଖର୍-ତପ୍’ ସର୍ବାଧିକ ପୁରସ୍କାର ଲାଭ କରିଛି ।

ତିନିଦିନ ବ୍ୟାପୀ ଆୟୋଜିତ ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ପ୍ରାନ୍ତରୁ ୨୮ଟି ନାଟକ ମଂଚସ୍ଥ ହୋଇଥିଲା । ଏଥିରେ ‘ଖର୍-ତପ୍’ ଦ୍ବିତୀୟ ଶ୍ରେଷ୍ଠ ନାଟକ ଭାବେ ପୁରସ୍କୃତ ହୋଇଥିବା ବେଳେ ରାଜେନ୍ଦ୍ର ପାଢ଼ୀ ଶ୍ରେଷ୍ଠ ନିର୍ଦ୍ଦେଶକ ତଥା ଶ୍ରେଷ୍ଠ ଚରିତ୍ର ଅଭିନେତା, ଅନ୍ନପୂର୍ଣ୍ଣା ପଣ୍ଡା ତୃତୀୟ ଶ୍ରେଷ୍ଠ ଚରିତ୍ର ଅଭିନେତ୍ରୀ ଭାବେ ପୁରସ୍କୃତ ହୋଇଥିଲେ । ସେହିପରି ଶ୍ରେଷ୍ଠ ସଂଗୀତ ପରିଚାଳନା ପାଇଁ ଚକ୍ରଧର ମହାରଣା ଏବଂ ଶ୍ରେଷ୍ଠ ରୂପସଜ୍ଜା-ମଂଚସଜ୍ଜା ପାଇଁ ଯୋଗେନ୍ଦ୍ର ରଣାଙ୍କୁ ପୁରସ୍କୃତ କରାଯାଇଥିଲା ।

‘ସଂଗମ’ର ଏହି ସଫଳତାରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ, କଳାହାଣ୍ଡି ଯୁବ ଲେଖକ ସମାବେଶ, କଳାହାଣ୍ଡି ଥିଏଟର୍ ତଥା ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଅଭିନନ୍ଦନ ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.