ଆସନ୍ତା ୪-୫ ଦିନ ତାତିରୁ ମିଳିବ ଆଶ୍ବସ୍ତି, ୨୦ ତାରିଖ ଯାଏଁ କାଳବୈଶାଖୀ ସମ୍ଭାବନା

Published By : Prameya-News7 Bureau | April 17, 2020 IST

ଭୁବନେଶ୍ବର ୧୭।୪: ରାଜ୍ୟରେ ଆସନ୍ତା ୪-୫ ଦିନ ଯାଏଁ ଗ୍ରୀଷ୍ମ ପ୍ରଭାବରୁ ମିଳିବ ଆଶ୍ୱସ୍ତି । ଏଭଳି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଉପକୂଳ ଓଡ଼ିଶାରେ ପାରଦ ୪୦ ଡିଗ୍ରୀ ଛୁଇଁବ ନାହିଁ । ପାରଦ ୩୮ ଡିଗ୍ରୀ ଭିତରେ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ତାପମାତ୍ରା ପୂର୍ବାପେକ୍ଷା କମ୍‌ ରହିବ । ଅଳ୍ପ କେତେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ପାଖାପାଖି ରହିପାରେ ବୋଲି ଆକଳନ କରାଯାଉଛି ।

ଗୁରୁବାର ରାଜ୍ୟର ୭ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ‌ ଉପରେ ଥିଲା । ସୋନପୁରରେ ସର୍ବାଧିକ ତାପମାତ୍ରା ୪୦.୮ ଡିଗ୍ରୀ ସେଲସିୟସ୍‌, ବଲାଙ୍ଗିର ତାପମାତ୍ରା ୪୦.୫, ଟିଟିଲାଗଡ଼ ୪୦.୨, ମାଲକାନଗିରି ୪୦.୨, ଅନୁଗୁଳ ୪୦.୧, ତାଳଚେର ୪୦.୧, ବୌଦ୍ଧ ୪୦ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି । ଅପରପକ୍ଷରେ ସମଗ୍ର ଉପକୂଳ ଅଞ୍ଚଳ ୪୦ ଡିଗ୍ରୀ ସେଲସିୟସ୍‌ ତଳେ ଥିଲା । କଟକ ତାପମାତ୍ରା ୩୯.୬, ଭୁବନେଶ୍ୱର ୩୯.୨, ପାରଳାଖେମୁଣ୍ଡି ୩୯, ଚାନ୍ଦବାଲି ୩୭.୫ ଡିଗ୍ରୀ ରେକର୍ଡ କରାଯାଇଛି ।

ତେବେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବର୍ଷା, ପବନ ହୋଇପାରେ । ଶୁକ୍ରବାର କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ନୟାଗଡ଼ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.