ସାରା ଓଡିଶାରେ କାଳବୈଶାଖୀ ପ୍ରଭାବ ; ଉତ୍ତର ଓଡିଶାରେ ପ୍ରବଳ ବର୍ଷା
18/03/2019 at 10:37 AM

ଭୁବନେଶ୍ବର ୧୮|୩ : ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ଉପରେ କାଳବୈଶାଖୀ ଆଶଙ୍କା ରହିଛି। କେନ୍ଦୁଝରରୁ କେନ୍ଦ୍ରାପଡ଼ା, ବରଗଡ଼ରୁ ବାଲେଶ୍ବର ସବୁଠି କାଳବୈଶାଖୀ ପ୍ରଭାବ ରହିବ। ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଗୋଟିଏ ଦୁଇଟି ସ୍ଥାନରେ ୩୦ ମିମିରୁ ଅଧିକ ବର୍ଷା ମଧ୍ୟ ହୋଇପାରେ। ଦକ୍ଷିଣ ଓଡ଼ିଶାରେ ବି କେତେକ ସ୍ଥାନରେ ବର୍ଷା ହୋଇପାରେ। ବିଶେଷକରି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢ଼େଙ୍କାନାଳରେ ଘଡ଼ଘଡ଼ି ସହ ବର୍ଷା ହେବ। ଏଥିସହ କଟକ, କେନ୍ଦ୍ରାପଡ଼ା, ବରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଧା ଜିଲ୍ଲାରେ ବଜ୍ରପାତର ଆଶଙ୍କା ରହିଛି। ଯେଉଁ ଅଞ୍ଚଳରେ ଝଡ଼ବର୍ଷାର ଆଶଙ୍କା ରହିଛି ପ୍ରତି ୩ରୁ ୫ ଘଣ୍ଟା ବ୍ୟବଧାନରେ ସତର୍କସୂଚନା ଜାରି କରାଯାଉଛି।
ଅନ୍ୟପକ୍ଷରେ ଗତକାଲି ଦିନର ସର୍ବୋଚ୍ଚ ତାପମାତ୍ରା ରେକର୍ଡ ଭାଙ୍ଗିଛି। ପ୍ରଥମଥର ପାଇଁ ଚଳିତବର୍ଷର ସର୍ବୋଚ୍ଚ ତାପମାତ୍ରା ମାଲକାନଗିରିରେ ୪୦ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ୧୧ଟି ସହରର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ଉପରକୁ ଚାଲି ଯାଇଛି। ସୋନପୁରରେ ୩୮.୨ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଭବାନୀପାଟଣାରେ ୩୮ ଡିଗ୍ରି ଛୁଇଁଛି। ଭୁବନେଶ୍ବର ତାପମାତ୍ରା ପୁଣିଥରେ ବୃଦ୍ଧି ପାଇ ୩୭.୩ ଡିଗ୍ରିରେ ପହଞ୍ଚିଥିଲା।