କାଳବୈଶାଖୀ ତାଣ୍ଡବ : ଉଡିଗଲା ଘର ଛପର, ଗଛ ପଡି ଭାଙ୍ଗିଲା ଘର

Published By : Prameya-News7 Bureau | May 03, 2021 IST

ପାଟଣା ୩।୫: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଅଞ୍ଚଳରେ ରବିବାର ସନ୍ଧ୍ୟାରେ କାଳବୈଶାଖୀ ସହ ଘଡଘଡି ଓ ପ୍ରବଳ ପବନ ବର୍ଷା-ପବନ ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଛି । ବ୍ଲକର ଖିରେଇଟାଙ୍ଗିରୀ ପଞ୍ଚାୟତର ଅନେକ ଲୋକଙ୍କ ଘର ଉପରେ ଗଛ ପଡି ଭାଙ୍ଗିଯାଇଛି । ସେହିପରି ଏକ ଫେବ୍ରିକେସନ ଘରର ଆଜବେଷ୍ଟସ ଛପର ଉଡିଯାଇ ଭାଙ୍ଗି ନଷ୍ଟ ହୋଇଛି । ଖିରେଇଟାଙ୍ଗିରୀ ଗ୍ରାମର ମହୁଲିଆ ସାହିର ସୁରେଶ ମହାନ୍ତ, କରଣ ବନ୍ଦ ସାହିର ପଟେଲ ନାଏକଙ୍କ ଖପର ଘର ଉପରେ ଆମ୍ବ ଗଛ ଭାଙ୍ଗି ପଡିବାରୁ ଘର ଭାଙ୍ଗି ଯାଇଛି । ଉଦଘର ସାହିର କହ୍ନେଇ ନାଏକଙ୍କ ଖପର ଘର ଉପରେ ଗଛ ପଡି ନଷ୍ଟ ହୋଇଯାଇଥିବା ବେଳେ ପରିବାର ଲୋକେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ମେଡିକାଲ ନିକଟରେ ଥିବା ଦେବେନ୍ଦ୍ର ଓଝାଙ୍କ ଘରର ଆଜବେଷ୍ଟସ ଉପରେ ନିମ୍ବ ଗଛ ପଡି ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ଖିରେଇଟାଙ୍ଗିରୀ ହାଟ ନିକଟରେ ଥିବା ଦୀପକ୍ ମଣ୍ଡଳ ଫେବ୍ରିକେସନ୍ ଘରର ଆଜବେଷ୍ଟସ ଛପର ମଧ୍ୟ ଉଡି ଲକ୍ଷାଧିକ ଟଙ୍କାର ଆଜବେଷ୍ଟସ ନଷ୍ଟ ହୋଇଛି । ଅନେକ ଲୋକଙ୍କ ଘରର ଆଜବେଷ୍ଟସ ପବନରେ ଉଡିଯାଇଥିବା ସୂଚନା ମିଳିଛି । କ୍ଷତିଗ୍ରସ୍ତ ଲୋକଙ୍କ କ୍ଷୟକ୍ଷତି ଆକଳନ କରି ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.