ଅସୁରକ୍ଷିତ ଅବସ୍ଥାରେ କାକଟପୁର ମା' ମଙ୍ଗଳା ମନ୍ଦିର, ବେଢା ଭିତରେ ପଶୁଛି ନାଳ ପାଣି

Published By : Prameya-News7 Bureau | September 13, 2021 IST

କୋଣାର୍କ, ୧୩।୦୯ : ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ ପୁରୀ ଜିଲ୍ଳାର ଅଧିଷ୍ଠାତ୍ରୀ ମା' ମଙ୍ଗଳାଙ୍କ ମନ୍ଦିର ଏବେ ଅସୁରକ୍ଷିତ ଅବସ୍ଥାରେ ରହିଛି ।  ସାରା ଓଡ଼ିଶାର ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି । ଯାହାଫଳରେ କାକଟପୁର ମାଆ ମଙ୍ଗଳାଙ୍କ ମନ୍ଦିରରେ ଏହାର ପ୍ରଭାବ ଦେଖିବାକୁ ମଧ୍ୟ ମିଳିଛି ।

ଅଧିକ ମାତ୍ରାରେ ବର୍ଷା ହେଉଥିବା କାରଣରୁ, ମା' ମଙ୍ଗଳାଙ୍କ ଗର୍ଭ ଗୃହର ଛାତରେ ଫାଟକ ସୃଷ୍ଟି ହୋଇ ବର୍ଷା ପାଣି ଗଳିବା ସହିତ , ନାଟ୍ୟ ମଣ୍ଡପ, ଭୋଗ ମଣ୍ଡପରେ ପାଣି ଗଳୁଛି । ଏହା ସହ ଉତ୍ତର ଦ୍ୱାରରେ ମଧ୍ୟ ବର୍ଷା ପାଣି ଗଳିବା ଓ ଛାତ ଫାଟି ବଡ଼ ବଡ଼ ସିମେଣ୍ଟ ପଥର ଖସୁଛି । ଯାହାଫଳରେ ସେବାୟତ ଓ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିବା ସହିତ ଆହତ ମଧ୍ୟ ହେଉଛନ୍ତି l

ଅନ୍ୟପକ୍ଷରେ ମନ୍ଦିର ବାହାରେ ଯାଉଥିବା ରାସ୍ତାରେ ସିମେଣ୍ଟ ଗୋଡି ଢଳାଇ ରାସ୍ତାକୁ ଠିକାଦାର ଉଞ୍ଚା କରିଦେବା ହେତୁ, ମନ୍ଦିରର ଚତୁପାର୍ଶ୍ୱରେ ଡ୍ରେନେଜ ବ୍ୟବସ୍ଥା ହୋଇନାହିଁ । ଯାହାଫଳରେ ଅଧିକ ବର୍ଷା ହେଲେ, ବାହାରର ଆବର୍ଜନା ପାଣି ମନ୍ଦିର ବେଢା ଭିତରକୁ ପସୁଛି । ଯଦ୍ୱାରା ମା'ଙ୍କ ନୀତିକାନ୍ତିରେ ଅସୁବିଧା ହେଉଥିବା ନେଇ ସେବାୟତମାନେ ପ୍ରତିକ୍ରିୟା ଦେଉଛନ୍ତି । ପ୍ରବଳ ବର୍ଷା ଯୋଗୁଁ କାକଟପୁର ବ୍ଲକର ବିଭିନ୍ନ ଅଞ୍ଚଳ ବର୍ଷା ଜଳରେ ବୁଡ଼ିଯାଇଥିବା ବେଳେ ରାସ୍ତା ଉପରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.