ମମତାଙ୍କୁ ବିଜେପିର ହମଲା, କୈଳାସ ବିଜୟବର୍ଗୀୟ କହିଲେ-ଦିଦିଙ୍କ ଅହଂକାର ଯୋଗୁଁ ନେତା ଦଳ ଛାଡି ଦେଉଛନ୍ତି

Published By : Prameya-News7 Bureau | January 23, 2021 IST

କୋଲକାତା ୨୩/୦୧ : ପଶ୍ଚିମବଙ୍ଗରେ ଶୀଘ୍ର ନିର୍ବାଚନ ହେବାର ଅଛି। ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ବିଭିନ୍ନ ରାଜନୈତିକ ଦଳ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି। ରାଜନୈତିକ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ମଧ୍ୟ ଜାରି ରହିଛି। ଇତି ମଧ୍ୟରେ ବିଜେପି ମମତା ବାନାର୍ଜୀଙ୍କ ଉପରେ ଆରୋପ ଲଗାଇଛି ଯେ ତାଙ୍କ ଅହଂକାର ଯୋଗୁଁ ନେତା ଦଳ ଛାଡିବାକୁ ବାଧ୍ୟ ହୋଇଯାଉଛନ୍ତି।

ମମତା ବାନାର୍ଜୀ ନିଜ ବିଜୟର ବିଗୁଲ ବଜାଉଥିବାବେଳେ ବିଜେପି ଓ କଂଗ୍ରେସ ବିଜୟ ହାସଲ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ସବୁ ଦଳର ବଡ ବଡ ନେତା ପଶ୍ଚିମବଙ୍ଗ ଗସ୍ତରେ ଯାଇ ଜନତାଙ୍କୁ ନିଜ ଆଡକୁ ଟାଣିବାକୁ ଚେଷ୍ଟା କରୁଛନ୍ତି। ରାଜ୍ୟ ବିଜେପି ପ୍ରଭାରୀ କୈଳାସ ବିଜୟବର୍ଗୀୟ ଗଣମାଧ୍ୟମକୁ କହିଛନ୍ତି ଯେ, "ଟିଏମସିରୁ ଯେଉଁ ନେତା ଦଳ ଛାଡି ଅନ୍ୟ ଦଳରେ ସାମିଲ ହେଉଛନ୍ତି ତା ପଛରେ କେବଳ ଗୋଟିଏ ହିଁ କାରଣ ଅଛି, ମମତାଙ୍କ ଅହଂକାର। ଦିଦିଙ୍କ ଅହଂକାର ତାଙ୍କ ପାଇଁ ଭାରି ପଡୁଛି। ତାଙ୍କରି ନେତା ଦଳ ଛାଡି ଅନ୍ୟ ଦଳରେ ସାମିଲ ହୋଇ ତାଙ୍କ ବିରୋଧରେ ଛିଡା ହେଉଛନ୍ତି।"

କୈଳାସ ବିଜୟବର୍ଗୀୟ ସ୍ପଷ୍ଟ କରିଛନ୍ତି ଯେ, ବିଜେପି ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବିନା ନିର୍ବାଚନ ମଇଦାନକୁ ଓହ୍ଲାଇବ। ସେ କହିଛନ୍ତି, ଯେଉଁସବୁ ରାଜ୍ୟରେ ବିଜେପି ସରକାର ନାହିଁ ସେଠାରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବିନା ଦଳ ନିର୍ବାଚନ ଲଢେ। ସେଥିପାଇଁ ପଶ୍ଚିମବଙ୍ଗରେ ବି ଏହା ହିଁ ହେବ। ସେ କହିଛନ୍ତି ବହୁମତ ହାସଲ ପରେ ବିଧାୟକ ନିଜେ ସୁନିଶ୍ଚିତ କରିବେ ଯେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ କିଏ ଯୋଗ୍ୟ ବିବେଚିତ ହେବେ।

ଏହା ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗ ଗସ୍ତରେ ଯାଇଥିଲେଯ ସେଠାରେ ସେ କହିଥିଲେ ଯେ ଯଦି ଏଥର ବିଜେପି ଆସେ ତାହେଲେ କୌଣସି ମାଟିପୁତ୍ର ହିଁ ମୁଖ୍ୟମନ୍ତ୍ରୀ ସିଂହାସନରେ ବସିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.