ଭ୍ୟାକସିନ୍‌କୁ ନେଇ ରାଜନୀତି : ବେଙ୍ଗଲରେ ଦିଦି ଦେଉଛନ୍ତି ଟିକା ! ବିଜେପି କହିଲା, ମମତାଙ୍କ ଟିକା ପଲିଟିକ୍ସ୍ ତୁଚ୍ଛା ଫାର୍ସ

Published By : Prameya-News7 Bureau | January 16, 2021 IST

କୋଲକାତା ୧୬/୦୧ : ସାରା ଦେଶରେ କୋଭିଡ୍-୧୯ର ମୁକାବିଲା ପାଇଁ ଶନିବାର ଠାରୁ ଟିକାକରଣ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକାକରଣର ଶୁଭାରମ୍ଭ କରିଛନ୍ତି । ଦେଶରେ ସୁରୁଖୁରୁରେ ଜାରି ରହିଛି ଟିକାକରଣ । ଏହାରି ମଧ୍ୟରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ବିଭିନ୍ନ ପ୍ରକାର ବୟାନବାଜି ଜାରି ରହିଛି । ପଶ୍ଚିମବଙ୍ଗ ବିଜେପି ପ୍ରଭାରୀ କୈଳାଶ ବିଜୟବର୍ଗୀୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି ।

ସେ କହିଛନ୍ତି,  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶରେ ଲୋକମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ୩କୋଟି ଭ୍ୟାକସିନ୍‌ ଦେବାକୁ ଘୋଷଣା କରିଥିଲେ । ଯାହାକି ବର୍ତ୍ତମାନ ଟିକାକରଣ ଜାରି ରହିଛି । ତେବେ ପଶ୍ଚିମବଙ୍ଗରେ ମଧ୍ୟ ମାଗଣା ଭ୍ୟାକସିନ ଦିଆଯିବ ବୋଲି ଘୋଷଣା କରାଯାଇଛି ଏବଂ ଭ୍ୟାକସିନ୍‌ ମଧ୍ୟ ପଠାଯାଇଛି । କିନ୍ତୁ ସତ୍ତାରେ ଥିବା ମମତା ବାନାର୍ଜୀ ନିଜେ ଭ୍ୟାକସିନ ପଠାଇଥିବା ରାଜ୍ୟରେ ଡିମଡିମ୍‌ ପିଟୁଥିବା କହିଛନ୍ତି କୈଳାଶ ବିଜୟବର୍ଗୀୟ । ଏହାଠାରୁ ବଡ ଲଜ୍ଜାଜନକ ଘଟଣା କଣ ହୋଇପାରେ ବୋଲି ବିଜୟବର୍ଗୀୟ କହିଛନ୍ତି ।

ଶନିବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଟିକାକରଣର ଶୁଭାରମ୍ଭ କରିଥିଲେ । ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଟିକାକରଣ ପାଇଁ ପ୍ରାୟ ୩୦୦୬ ଟିକାକରଣ କେନ୍ଦ୍ର ଖୋଲାଯାଇଛି । ପ୍ରଥମ ଦିନରେ ୩ ଲକ୍ଷରୁ ଉର୍ଦ୍ଧ୍ବ ସ୍ବାସ୍ଥ୍ୟକର୍ମୀ ଏବଂ ଆଗଧାଡିର କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଉଛି ।

ପଶ୍ଚିମବଙ୍ଗରେ ନିର୍ବାଚନୀ ମାହୋଲ ସରଗରମ ହୋଇଗଲାଣି । ଦୁଇ ପ୍ରତିଦ୍ବନ୍ଦୀ ତୃଣମୂଳ କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟି ମଧ୍ୟରେ ରାଜନୈତିକ ବୟାନବାଜି ମଧ୍ୟ ଜୋରଦାର ଜାରି ରହିଛି । କିଛି କିଛି ସ୍ଥାନରେ ହିଂସାକାଣ୍ଡର ମଧ୍ୟ ଖବର ଆସିଲାଣି । ଏହାରି ମଧ୍ୟରେ ରାଜ୍ୟରେ ବିଜେପି ଏବଂ ଟିଏମସି ମଧ୍ୟରେ ଭ୍ୟାକସିନ୍‌କୁ ନେଇ ରାଜନୀତି ଆରମ୍ଭ ହୋଇଗଲାଣି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭ୍ୟାକସିନ୍‌କୁ ନେଇ ନିଜର ପ୍ରଚାର ପ୍ରସାର କରୁଥିବା ଅଭିଯୋଗ କରିସଛନ୍ତି ବେଙ୍ଗଲ ବିଜେପି ପ୍ରଭାରୀ କୈଳାଶ ବିଜୟବର୍ଗୀୟ । ଏ ନେଇ କିନ୍ତୁ ଟିଏମସି ପକ୍ଷରୁ କୌଣସି ଜବାବ ମିଳିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.