ହାଇଦ୍ରାବାଦ ବିପକ୍ଷରେ ଲଗାତର ତିନୋଟି ଓ୍ୱିକେଟ୍ ନେଲେ ରାବଡା, କିନ୍ତୁ ହେଲା ନାହିଁ ହ୍ୟାଟ୍ରିକ୍, ଜାଣନ୍ତୁ କାହିଁକି...

Published By : Prameya-News7 Bureau | November 09, 2020 IST

ଦୁବାଇ, ୦୯୧୧:   ଶ୍ରେୟସ ଆୟାରଙ୍କ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ଦଳ ରବିବାର ସନରାଇଜର୍ସ ହାଇଦ୍ରାବାଦକୁ ୧୭ ରନରେ ପରାସ୍ତ କରି ଫାଇନାଲ ଟିକେଟ୍ ହାସଲ କରିଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ୧୮୯ ରନ୍ କରିବା ସହ ବିପକ୍ଷ ହାଇଦ୍ରାବାଦକୁ ୧୯୦ ରନ୍‌ର ଟାର୍ଗେଟ୍ ଦେଇଥିଲା । ଏହାର ଜବାବରେ ହାଇଦ୍ରାବାଦ ୧୭୨ ରନ୍ ହିଁ କରି ପାରିଥିଲା ।ଏହି ମ୍ୟାଚରେ ଦିଲ୍ଲୀର ବୋଲିଂ ପ୍ରଶଂସନୀୟ ଥିଲା । ଦ୍ରୁତ ବୋଲର କାଗିସୋ ରାବଡା ଗୋଟିଏ ଓଭରରେ ହିଁ ବାଜି ପଲଟାଇ ଦେଇଥିଲେ । ସେ ୨୯ ରନ୍ ଦେଇ ଚାରୋଟି ଓ୍ୱିକେଟ୍ ନେଇଥିଲେ ।

ରାବଡା ୧୯ ତମ ଓଭରରେ ଅବ୍ଦୁଲ ଶାମଦ, ରଶିଦ ଖାନ ଓ ଶ୍ରୀବତ୍ସ ଗୋସ୍ୱାମୀଙ୍କୁ ଆଉଟ କରି ହାଇଦ୍ରାବାଦର ଲୟ ବିଗାଡି ଦେଇଥିଲେ । ସେ ଲଗାତର ତିନୋଟି ବଲରେ ତିନୋଟି ଓ୍ୱିକେଟ୍ ନେଇଥିଲେ । ୧୯ ତମ ଓଭରର ତୃତୀୟ ବଲରେ ସେ ସାମଦ, ଚତୁର୍ଥ ବଲରେ ରଶିଦ ଓ ପଞ୍ଚମ ବଲରେ ଗୋସ୍ୱାମୀଙ୍କୁ ଆଉଟ୍ କରିଥିଲେ । କିନ୍ତୁ ତାଙ୍କ ନାମରେ ହ୍ୟାଟ୍ରିକ୍ ହୋଇନଥିଲା । କାରଣ ରାବଡା ରଶିଦଙ୍କୁ ଆଉଟ୍ କରିବା ପରବର୍ତ୍ତୀ ବଲ ଓ୍ୱାଇଡ୍ ପକାଇଥିଲେ । ନିୟମାନୁସାରେ, ଲାଗତର ତିନୋଟି ବୈଧ ବଲରେ ହିଁ ହ୍ୟାଟ୍ରିକ୍ ନିଆଯାଇ ପାରିବ । କିନ୍ତୁ ରାବଡା ଗୋଟିଏ ଓ୍ୱାଇଡ୍ ବଲ୍ ପକାଇଥିଲେ ।

କେବଳ ଏହି ସର୍ତ୍ତରେ ହୋଇପାରିବ ହ୍ୟାଟ୍ରିକ୍

ହ୍ୟାଟ୍ରିକକୁ ନେଇ ସେପରି କୌଣସି ନିୟମ ନାହିଁ । ଯଦି ବୋଲରଙ୍କ ଓ୍ୱାଇଡ ବଲରେ ବ୍ୟାଟସମ୍ୟାନ୍ ଷ୍ଟମ୍ପ୍ ବା ହିଟ୍ ଓ୍ୱିକେଟ୍ ହୁଏ ତେବେ ଏହା ହ୍ୟାଟ୍ରିକ୍ ହେବ । ।ଏହା ବ୍ୟତୀତ ଓ୍ୱାଇଡ୍ ବଲରେ ହ୍ୟାଟ୍ରିକ ପାଇଁ ଅନ୍ୟ କୌଣସି ବିକଳ୍ପ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.