Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗାଁରେ ବିଜୁଳି ସ୍ୱପ୍ନ, ପାଣି କଥା ନ ପଚାରିଲେ ଭଲ, ଏବେବି ମୌଳିକ ସୁବିଧାରୁ ବଞ୍ଚିତ କଦଳୀବାଡ଼ି

26/04/2021 at 6:06 PM

ବଂଶପାଳ, ୨୬ /୦୪: ସ୍ୱାଧୀନତାର ୭୩ ବର୍ଷ ପରେ ବି ଦୁର୍ଗମ ଗାଁ ଗୁଡିକରେ ମିଳୁନି ସମାନ୍ୟ ତମ ମୌଳିକ ସୁବିଧା । ବର୍ଷ ବର୍ଷ ଧରି ପାଣି ମୁନ୍ଦାଏ ପାଇଁ ସଂଘର୍ଷ କରୁଥିବା ବେଳେ ବିଜୁଳି ଆଲୁଅରୁ ବଚିଂତ ହେଉଛନ୍ତି ଲୋକେ ।

କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସିଂପୁର ପଚାଂୟତର ଦୁର୍ଗମ କଦଳୀ ବାଡ଼ି, ଗାଁ ପଚାଂୟତ କାର୍ଯ୍ୟାଳୟ ଠାରୁ ୬ କିମି ଜଙ୍ଗଲ ଘାଟି ରାସ୍ତାରେ ଗାଁକୁ ଯିବାକୁ ପଡିଥାଏ । ବର୍ଷ ବର୍ଷ ଧରି ଗ୍ରାମବାସୀ ନର୍କ ଯନ୍ତ୍ରଣା ଭୋଗୁଛନ୍ତି । ୪ ବର୍ଷ ହେଲା ଗ୍ରାମରେ ଠିକାଦାର ଟ୍ରାନ୍ସଫରମର ଲଗାଇ ଖୁଣ୍ଟ ପୋତିବା ସହିତ ପ୍ରତି ଘରକୁ ତାର ଟାଣି ମିଟର ସୁଇଚ ବୋର୍ଡ ଆଦି ଲଗାଇଛନ୍ତି । ତାର ଟାଣି ମିଟର ଲଗା ହେବା ବେଳେ ଗ୍ରାମବାସୀ ବିଜୁଳି ଆଲୁଅ ପାଇବା ଆଶାରେ ବେଶ ଖୁସି ଥିଲେ । ହେଲେ ୪ ବର୍ଷ ପୂର୍ବେ ଗାଁକୁ ବିଜୁଳି ସଂଯୋଗ ହେଇ ଥିଲା ହେଲେ କିଛି ଦିନ ଆଲୁଅ ପାଇବା ପରେ ହଠାତ ଟ୍ରାନ୍ସଫର୍ମର ଅଚଳ ହୋଇପଡିଛି କହି ବିଦ୍ୟୁତ କର୍ମଚାରୀମାନେ ଲାଇନ କଟିଦେଇଥିଲେ ।

ସେହିଦିନଠାରୁ ୨ ବର୍ଷ ବିତିଯାଇଥିଲେ ସୁଧା ଆଜି ପର୍ଯ୍ୟନ୍ତ ବିଜୁଳି ସଂଯୋଗ ହେଇପାରୁନି । ଖତ ଖାଉଛି ଟ୍ରାନ୍ସଫର୍ମର, ମିଟର, ବଲ୍ବ । ଜଙ୍ଗଲୀ ଲୋକଙ୍କ ବିଜୁଳି ଆଲୁଅ ଖୁସି ମରିଯାଇଛି ଯାହା ଫଳରେ ବର୍ଷ ବର୍ଷ ଧରି ଅନ୍ଧାରରେ ରହୁଛନ୍ତି କଦଳୀବାଡ଼ି ଗ୍ରାମବାସୀ । ସନ୍ଧ୍ୟା ହେଲେ ବନ୍ୟ ଜନ୍ତୁଙ୍କ ଭୟ ରହିଥିବା ବେଳେ ଛାତ୍ରଛାତ୍ରୀମାନେ ଡିବିରି ଆଲୁଅରେ ପାଠ ପଢୁଛନ୍ତି ।

ଗ୍ରାମର ଅନ୍ୟ ଏକ ସମସ୍ୟା ପାନୀୟ ଜଳ ସମସ୍ୟା । ଗାଁରେ ଏକ ମାତ୍ର ସୌର ଚାଳିତ ନଳକୂପ ୪ ବର୍ଷ ହେବ ଅଚଳ ହୋଇ ପଡିଛି । ଯାହା ଫଳରେ ଗାଁ ଠାରୁ ୨ କିମି ଦୂରରେ ଥିବା ଏକ ପରିତ୍ୟକ୍ତ ଚୁଆ ଉପରେ ନିର୍ଭର କରୁଛନ୍ତି ଲୋକେ । ବିଲରେ ଚୁଆ ଖୋଳି ଘରକୁ ପିଇବା ପାଣି ଆଣନ୍ତି ଲୋକେ । ଚୁଆ ପାଣି ପିଇବା ଫଳରେ ଅନେକ ସମୟରେ ଜ୍ୱର, ଡାଇରିଆ, ମ୍ୟାଲେରିଆ ଆଦି ରୋଗରେ ପଡୁଛନ୍ତି ଲୋକେ । ଗ୍ରାମରେ ବସବାସ କରୁଥିବା ୫୦ଟି ପରିବାର ବର୍ଷ ବର୍ଷ ଧରି ପାଣି ପାଇଁ ସଂଘର୍ଷ କରୁଥିଲେ ହେଁ ପ୍ରଶାସନ ସତେ ଯେମିତି ଏମାନଙ୍କ ପ୍ରତି ଆଖି ବୁଜିଦେଇଛି । ପିଇବା ପାଣି ଓ ବିଜୁଳି ଆଲୁଅ ପାଇଁ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ହେଁ ଏଥି ପ୍ରତି ଦୃଷ୍ଟି ଦିଆ ଯାଉନାହିଁ । ଫଳରେ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଯଥା ଶୀଘ୍ର ସମସ୍ୟାର ସମାଧାନ ପାଇଁ ସାଧାରଣରେ ଦାବି ହେଉଛି ।

   Related Posts