ପୋଲିସକୁ କଟୁରୀରେ ଆକ୍ରମଣ କଲା ଅମାନିଆ କଦଳୀ ବେପାରୀ, କହିଲା -'ମୋ ଆଗରେ ଚଳିବନି ପୋଲିସଗିରି'

Published By : Prameya-News7 Bureau | May 10, 2021 IST

ବଳଙ୍ଗା ୧୦/୦୫ : ଦେଖ୍‌ ମୋ ଆଗରେ ପୋଲିସ ଗିରି ଚଳିବନି । ଭଲରେ କହୁଛି ଛାଡିଦେ ମତେ । ତୁ ଯେଉଁ ଥାନାକୁ ଯିବୁ ସେଠିକି ଯାଇ ତୋ କଥା ବୁଝିବାର ଦମ ମୋ ପାଖରେ ଅଛି । ଏହା କାଣସି ଯାତ୍ରା ପାର୍ଟିର କିମ୍ବା ସିନେମାର ଖଳନାୟକର ସଂଳାପ ଭଳି ଲାଗୁଥିଲାବେଳେ ବାସ୍ତବରେ ଜଣେ ଉନ୍ମତ ଯୁବକକୁ ପୁଲିସ କାବୁ କରିବାବେଳେ ଯୁବକର ପୁଲିସ ପ୍ରତି ଥିଲା ଧମକପୂର୍ଣ୍ଣ ଚେତାବନୀ । ପରେ ଯୁବକ ଜଣକ ପାଖରେ ରଖିଥିବା ଏକ କଟୁରୀ ସାହାଯ୍ୟରେ ପୁଲିସ କର୍ମୀଙ୍କୁ ଆକ୍ରମଣ କରିବାକୁ ପଛାଇ ନଥିଲା । ବହୁ କଷ୍ଟରେ ଯୁବକକୁ ଆୟତ କରିବା ପରେ ତା ନାମରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରିଛି ବଳଙ୍ଗା ପୁଲିସ ।

ସୂଚନା ମୁତାବିକ, ଗତକାଲି ସକାଳୁ ବଳଙ୍ଗା ବଜାରରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା । ସଟ୍‌ଡାଉନରେ କଦଳି ବିକିବାକୁ ଆସିଥିବା ନିକଟସ୍ଥ ତୋଟାସାହିର ଅଜୟ ପ୍ରଧାନ (୩୬) ଆସିଥିଲେ । ମୁହଁରେ ମାସ୍କ ନପିନ୍ଧି ବଜାରକୁ ଆସିଥିବାବେଳେ ସପ୍ତାହାନ୍ତ ସଟ୍‌ଡାଉନ ପାଇଁ ବଳଙ୍ଗା ବଜାରରେ ପୁଲିସ୍‌ ମାସ୍କ ଚେକିଂ କରୁଥିଲା । ଥାନାର ଜନୈକ କର୍ମଚାରୀ ରମାକାନ୍ତ ସାବତ ଅଜୟଙ୍କୁ ଅଟକାଇ ବଜାର ବନ୍ଦ ଥିବାବେଳେ କାହିଁକି ଆସିଛ ଏବଂ ମାସ୍କ କାହିଁକି ପିନ୍ଧିନାହଁ ବୋଲି ପଚାରିଥିଲେ । ତେବେ ଅଜୟ ହଠାତ କାହିଁକି ମତେ ଅଟକାଇଲୁ କହି ସାଇକେଲ ଆଗରେ ଟାଙ୍ଗିଥିବା ଏକ ବ୍ୟାଗରୁ କଟୁରୀ ବାହାର କରି ଆକ୍ରମଣ କରିଥିଲେ ।

ସୌଭାଗ୍ୟ ବଶତଃ କଟୁରିର ପଛ ପଟ ସାବତଙ୍କ ବାମ ହାତରେ ଲାଗିଥିଲା । ଫଳରେ ସେ ସାମାନ୍ୟ ଆହତ ହୋଇଥିଲେ । ପରେ ପାଖରେ ଥିବା ଅନ୍ୟ ଜଣେ ପୁଲିସ କର୍ମଚାରୀ ଅଜୟକୁ କାବୁ କରିବାରେ ସକ୍ଷମ ହେବା ପରେ ଖବର ପୁଲିସ ଭ୍ୟାନ ଆସି ଅଜୟକୁ ଥାନାକୁ ନେଇଥିଲା । ବଳଙ୍ଗା ଥାନାରେ ମାମଲା ରୁଜୁ କରାଯାଇ ଅଜୟକୁ କୋର୍ଟଚାଲାଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.