କାବୁଲ୍‌ର ହୋଟେଲ ସେରେନାରେ ଆକ୍ରମଣର ଆଶଙ୍କା : ତୁରନ୍ତ ଖାଲି କରିବାକୁ ନିର୍ଦ୍ଦେଶ ଦେଲା ଆମେରିକା ଓ ବ୍ରିଟେନ୍‌

Published By : Prameya-News7 Bureau | October 11, 2021 IST

କାବୁଲ ୧୧/୧୦ :  ପୁଣିଥରେ ତାଲିବାନ ଦଖଲରେ ଥିବା ଆଫଗାନିସ୍ତାନର କାବୁଲରେ ଆତଙ୍କୀ ହମଲା କରିବାର ଆଶଙ୍କାର ସୂଚନା ମିଳିଛି । ଏନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିବା ପରେ ଆମେରିକା ଓ ବ୍ରିଟେନ ପକ୍ଷରୁ ନିଜ ଦେଶର ନାଗରିକଙ୍କୁ ସତର୍କ କରାଇ ଦିଆଯାଇଛି। ବିଶେଷ କରି କାବୁଲର ପ୍ରସିଦ୍ଧ ହୋଟେଲ୍‌ ସେରେନା ଓ ଏହାର ଆଖପାଖ ଅଞ୍ଚଳରେ  ଥିବା ଲୋକଙ୍କ ସୁରକ୍ଷା ପ୍ରତି ବିପଦ ରହିଥିବା ନେଇ  ଏହି ଦୁଇ ଦେଶ ପକ୍ଷରୁ କୁହାଯାଇଛି। ଏଥିପାଇଁ ଉଭୟ ଦେଶ ନିଜ ଦେଶର ନାଗରିକମାନଙ୍କୁ ତୁରନ୍ତ ହୋଟେଲ ସେରେନା ଓ ଏହାର ଆଖପାଖ ଅଞ୍ଚଳକୁ ଖାଲି କରିଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏଭଳି ପରିସ୍ଥିତିରେ ବିପଦ ବଢ଼ୁଥିବାରୁ ହୋଟେଲରେ ନ ରହିବାକୁ ପରାମର୍ଶ ଦିଆଯାଉଛି। ବିଶେଷ କରି କାବୁଲରେ ଥିବା ସେରେନା ହୋଟେଲ ଭଳି ବଡ଼ ସ୍ଥାନକୁ ତୁରନ୍ତ ଖାଲି କରି ଦିଅନ୍ତୁ। ଏଠାରେ ସୁରକ୍ଷା ପ୍ରତି ବିପଦ ରହିଥିବା ନେଇ  ବ୍ରିଟେନ କହିଛି । ସେହିପରି ଆମେରିକା ମଧ୍ୟ ନିଜ ଦେଶର ନାଗରିକମାନଙ୍କୁ କାବୁଲର ସେରେନା ହୋଟେଲରୁ ଖାଲି କରି ଅନ୍ୟତ୍ର ସ୍ଥାନକୁ ଚାଲିଯିବାକୁ କହିଛି।

ସେରେନା ହେଉଛି କାବୁଲର ସବୁଠାରୁ ବଡ ହୋଟେଲ। ଏଠାକୁ ଅଧିକାଂଶ ବିଦେଶୀ ନାଗରିକ ଆସନ୍ତି। ଏବେ ତାଲିବାନ ଆଫଗାନିସ୍ଥାନକୁ ଦଖଲ କରିବା ପରେ ବିଦେଶୀଙ୍କ ଆଗମନ ହ୍ରାସ ପାଇଛି। କିନ୍ତୁ ପୂର୍ବରୁ ଆଫଗାନରେ ରହିଥିବା ଲୋକମାନେ ସେରନାରେ ରହୁଛନ୍ତି। ତେଣୁ ସେମାନଙ୍କ ଜୀବନ ପ୍ରତି ବିପଦ ରହିଥିବା ଆଶଙ୍କା ପ୍ରକାଶ ପାଇଛି। ପୂର୍ବରୁ ଦୁଇଥର ଆତଙ୍କବାଦୀମାନେ ଏହି ହୋଟେଲକୁ ଟାର୍ଗେଟ କରି ସାରିଛନ୍ତି। ଏବେ ପୁଣି ସେମାନେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.