କଣ୍ଟାବାଡ ଡିଆଇଁ ଶିଶୁକୁ କାବୁଲ ବିମାନବନ୍ଦର ଭିତରକୁ ପଠାଇଥିଲା ମାଆ, ଏବେ ଆମେରିକାରେ ଖୁସିରେ ଅଛନ୍ତି ପୁରା ପରିବାର

Published By : Prameya-News7 Bureau | October 02, 2021 IST

ନୂଆଦିଲ୍ଲୀ, ୦୨/୧୦: ତାଲିବାନ କବଳରୁ ମୁକୁଳିବା ପାଇଁ ଅନେକ ନାଗରିକ ଆଫଗାନିସ୍ଥାନ ଛାଡି ଚାଲି ଯାଇଥିଲେ । ଅନେକ ମହିଳା ସେମାନଙ୍କ ଶିଶୁଙ୍କୁ ଦେଶ ବାହାରକୁ ପଠାଇ ଦେଇଥିଲେ । ଗତ ଅଗଷ୍ଟ ମାସରେ ଏପରି ଏକ ଚିତ୍ର ଭାଇରାଲ ହୋଇଥିଲା, ଯେଉଁଥିରେ ଜଣେ ମହିଳା ତାଙ୍କ ଶିଶୁଙ୍କୁ କଣ୍ଟା ପାଚେରୀ ଡିଆଇଁ ବିମାନବନ୍ଦରକୁ ପଠାଉଥିବା ଦେଖିବାକୁ ମିଳିଥିଲା । ଏବେ ଏହି ଶିଶୁଟି ଆରିଜୋନାରେ ଥିବା ସୂଚନା ମିଳିଛି ।

ସୂଚନାନୁସାରେ, ତାଲିବାନ ପୁଣି ଥରେ ଆଫଗାନିସ୍ତାନକୁ ହାତେଇଛି। ଦେଶରେ ଏବେ ସେମାନଙ୍କ ଶାସନ ଚାଲିଛି। ତାଲିବାନଙ୍କ କଠୋର ଇସଲାମିକ ଶାସନର ଭୟ ଲୋକଙ୍କୁ ଭୟଭୀତ କରିଛି। ଗତ ଅଗଷ୍ଟ ମାସରେ ହଜାରହଜାର ଆଫଗାନ ନାଗରିକ ଦେଶରୁ ପଳାୟନ କରିଥିଲେ। କାବୁଲ ବିମାନ ବନ୍ଦରର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ତାଲିବାନଙ୍କୁ ନେଇ କିପରି ଭୟଭୀତ ତାହା ଦେଖିବାକୁ ମିଳିଥିଲା ।

ତେବେ ଗତ ଅଗଷ୍ଟ-ସେପ୍ଟେମ୍ବରରେ ଅନେକ ବ୍ୟକ୍ତି କାବୁଲ ବିମାନବନ୍ଦରକୁ ପ୍ରବେଶ କରିପାରିନଥିଲେ ।  ସେମାନେ ସୀମା ଅତିକ୍ରମ କରି ପଳାୟନ କରିବାକୁ ଲାଗିଥିଲେ ।  ଆଉ କିଛି ନିଜ ନିଜ ଶିଶୁଙ୍କୁ ସାଙ୍ଗରେ ଧରି ବିମାନ ବନ୍ଦରକୁ ପହଞ୍ଚୁଥିବା ମହିଳା ଘୋର ଅସୁବିଧାରେ ପଡୁଥିବା ଦେଖିବାକୁ ମିଳିଥିଲା। ଏଥିରେ କେତେକ ମହିଳା ବିମାନବନ୍ଦର ସୁରକ୍ଷା କର୍ମୀ ଓ ଆମେରିକୀୟ ସେନାର ସହାୟତାରେ ତାରବାଡ ଡିଆଁଇ ସେମାନଙ୍କ ଶିଶୁଙ୍କୁ ପଠାଉଥିବା ନଜର ଆସିଥିଲା।

ଏପରି ଜଣେ ମହିଳା ଗତ ଅଗଷ୍ଟ ୧୬ରେ ନିଜ ଶିଶୁକୁ ତାରବାଡ ଡିଆଉଁଥିଲେ । ଶିଶୁଟି ଧଳା ରଙ୍ଗର ପୋଷାକ ପିନ୍ଧିଥିଲା । ଶିଶୁଟି ବିପଦଜନକ କଣ୍ଟା ତାରବାଡ ଉପରଦେଇ ବିମାନବନ୍ଦରରେ ପ୍ରବେଶ କରିଥିଲା । ଏବେ ସେ ମାଆ ଓ ବାପାଙ୍କ ସହ ଆମେରିକାର ଆରିଜୋନାରେ ଅଛି ।  ସେ ନିଜ ପରିବାର ସହ ଖୁସିରେ ଥିବା ଦେଖିବାକୁ ମିଳିଛି ।  ପରିବାର ସହ ଶିଶୁଟିର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.