କରୋନା ରୋଗୀଙ୍କ ପାଇଁ ନର୍ସ ହୋଇଛନ୍ତି ଏହି ଅଭିନେତ୍ରୀ, ମୁମ୍ବାଇର ଏକ ଡାକ୍ତରଖାନାରେ କରୁଛନ୍ତି କାମ
29/03/2020 at 10:33 AM

ମୁମ୍ବାଇ ୨୯।୩: କରୋନା ଭାଇରସ୍ ଦ୍ରୁତ ଗତି ମାଡି ମାଡି ଚାଲିଥିବା ବେଳେ ଲୋକମାନେ ନିଜ ଘରେ ଲକ୍ ଢାଉନ୍ ହେବାକୁ ବାଧ୍ୟ ହେଉଛନ୍ତି । ଏହି ଲକ୍ ଡାଉନ୍ ସ୍ଥିତିରେ ଡାକ୍ତର, ନର୍ସ, ପୋଲିସ ଏବଂ ସରକାରୀ କର୍ମଚାରୀଙ୍କ ପରି କିଛି ଲୋକଙ୍କର ବାହାରକୁ ଯିବା ଅତ୍ୟନ୍ତ ଜରୁରୀ । ତେବେ ଲକ୍ ଡାଉନ୍ ରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସେହି ସଂକ୍ରମିତ ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ ଡାକ୍ତର ଏବଂ ନର୍ସମାନେ ଦିନରାତି ସେବାରେ ନିୟୋଜିତ ଅଛନ୍ତି । ଏହି ସମୟରେ କାଞ୍ଚଲି ଚଳଚ୍ଚିତ୍ରର ଅଭିନେତ୍ରୀ ଶିଖା ମଲହୋତ୍ରା ସାହାଯ୍ୟର ହାତ ବଢାଇଛନ୍ତି ।

କରୋନା ଭାଇରସ୍ ପୀଡିତଙ୍କ ସେବା କରିବା ପାଇଁ ଶିଖା ମଲହୋତ୍ରା ବହୁତ ଦାୟିତ୍ବ ଗ୍ରହଣ କରିଛନ୍ତି । ବ୍ରୁହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (ବିଏମସି) ସହିତ ମିଳିତ ଭାବେ ସେ କରୋନା ଭାଇରସ୍ ରୋଗୀଙ୍କ ସେବା କରିବାର ଦାୟିତ୍ବ ନେଇଛନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରିରେ ଯୋଗଦେବା ପୂର୍ବରୁ ଶିଖା ନର୍ସିଂପାଠ୍ୟକ୍ରମରେ ଶିକ୍ଷାଗ୍ରହଣ କରିଥିଲେ । ସେ ନୂଆଦିଲ୍ଲୀର ବର୍ଦ୍ଧମାନ ମହାବୀର ମେଡିକାଲ କଲେଜ ଏବଂ ସଫଦରଜଙ୍ଗ ହସ୍ପିଟାଲ (୨୦୧୪) ରୁ ସେ ନର୍ସିଂ ପାଠ୍ୟକ୍ରମରେ ଶିକ୍ଷାଗ୍ରହଣ କରିଛନ୍ତି | ଅବଶ୍ୟ ଅଭିନୟରେ ଆସିବା ହେତୁ ସେ କେବେବି ନର୍ସିଂ ଅଭ୍ୟାସ ଶେଷ କରିପାରିଥିଲେ |

ଏହି କରୋନା ମହାମାରୀ ଦେଶ ତଥା ବିଶ୍ବରେ ବ୍ୟାପିଥିବା ସମୟରେ ଶିଖା ସ୍ବେଚ୍ଛାସେବୀ ନର୍ସ ହୋଇ ରୋଗୀମାନଙ୍କୁ ସେବା କରିବାକୁ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ବିଏମସି ତାଙ୍କୁ ଅନୁମତି ପତ୍ର ମଧ୍ୟ ଦେଇଛି ।
ଶିଖାଙ୍କୁ ଯୋଗେଶ୍ବରୀ ଇଷ୍ଟ ସ୍ଥିତ ହିନ୍ଦୁ ହୃଦୟ ସମ୍ରାଟ ବାଲାସାହେବ ଟ୍ରମା ହସ୍ପିଟାଲରେ ସ୍ବେଚ୍ଛାସେବୀ ଭାବେ କାମ କରିବାର ସୁଯୋଗ ମିଲିଛି । ତାଙ୍କୁ ଆଇସୋଲେନସ ୱାର୍ଡର ଦାୟିତ୍ବ ଦିଆଯାଇଛି ।

ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଏକ ଫଟୋରେ ଅଭିନେତ୍ରୀ ଲେଖିଛନ୍ତି, “କଲେଜରେ ଆମର ପାଠ୍ୟକ୍ରମ ଶେଷ କରିବା ପରେ ଆମେ ସମାଜର ସେବା କରିବାକୁ ସ୍ଥିର କରିଥିଲୁ । ମୁଁ ଭାବୁଛି ଏବେ ସେ ସମୟ ଆସିଯାଇଛି ।”
ଶିଖା ଅଭିନେତା ସଞ୍ଜୟ ମିଶ୍ରଙ୍କ ସହ କାଞ୍ଚଲି ଫିଲ୍ମରେ ଅଭିନୟ କରିଛନ୍ତି । ସେ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରଥିଲେ । ଏହି ଫିଲ୍ମରେ ତାଙ୍କର ଅଭିନୟକୁ ଲୋକମାନେ ବେଶ୍ ପସନ୍ଦ କରିଥିଲେ ।
ଏହି ମହାମାରୀ ସମୟରେ ଅନ୍ୟ ବଲିଉଡ୍ ସେଲିବ୍ରିଟିମାନେ ମଧ୍ୟ ଆର୍ଥିକ କିମ୍ବା ଅନ୍ୟ ଉପାୟରେ ଲୋକଙ୍କୁ ସାହାଯ୍ୟ କରୁଛନ୍ତି । ଅକ୍ଷୟ କୁମାର ପିଏମ୍ ରିଲିଫ ପାଣ୍ଠିରେ ୨୫କୋଟି ଟଙ୍କା ଦେବାକୁ ଘୋଷଣା କରିଥିବାବେଳେ ବରୁଣ ଧୱନ ମଧ୍ୟ ଆର୍ଥିକ ସହାୟତା ପାଇଁ ଆଗେଇ ଆସିଛନ୍ତି ।