ଦରକାର ମନ୍ତ୍ରୀ ପଦ: ମୋଦୀ ସରକାରର କ୍ୟାବିନେଟ୍ ବିସ୍ତାର ଉପରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନଜର

Published By : Prameya-News7 Bureau | June 27, 2020 IST

ନୂଆଦିଲ୍ଲୀ ୨୭।୦୬: କଂଗ୍ରେସରୁ ବିଜେପିରେ ସାମିଲ ହେବା ପରେ ମଧ୍ୟ ପ୍ରଦେଶରୁ ରାଜ୍ୟସଭା ନିର୍ବାଚନ ଜିତି ସାରିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନଜର ଏବେ ମୋଦୀ ସରକାରଙ୍କ ଆଗାମୀ କ୍ୟାବିନେଟ୍ ବିସ୍ତାର ଉପରେ ରହିଛି।

ମଧ୍ୟ ପ୍ରଦେଶରେ ୨୪ ଆସନରେ ହେବାକୁ ଥିବା ଉପ ନିର୍ବାଚନ ପୂର୍ବରୁ ମୋଦୀ କ୍ୟାବିନେଟ୍‌ରେ ଗୋଟିଏ ସିଟ୍ ମିଳିବ ବୋଲି ଆଶା ରଖିଛନ୍ତି ସିନ୍ଧିଆଙ୍କ ସମର୍ଥକ। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ ଉପ ନିର୍ବାଚନ ପୂର୍ବରୁ ସିନ୍ଧିଆଙ୍କୁ କେନ୍ଦ୍ରରେ ମନ୍ତ୍ରୀ କରିବା ଉପରେ ଜୋର୍‌ ଦେଇଛନ୍ତି।

ସିନ୍ଧିଆ ଗୋଷ୍ଠୀଙ୍କ ତର୍କ ଏହା ଯେ, କେନ୍ଦ୍ର ମନ୍ତ୍ରୀ ପଦ ମିଳିଲେ ମଧ୍ୟପ୍ରଦେଶ ରାଜନୀତିରେ ସିନ୍ଧିଆ ମଜବୁତ ହେଲେ ବିଜେପିକୁ ଉପ ନିର୍ବାଚନରେ ଫାଇଦା ମିଳିବ। କାରଣ ମୋଟ୍ ୧୬ଟି ସିଟ୍ ସିନ୍ଧିଆଙ୍କ ପତିଆରାରେ ଥିବା ଗ୍ଵାଲିୟର ଅଞ୍ଚଳରେ ରହିଛି। ପୂର୍ବତନ ବିଧାୟକ ଓପିଏସ ଭଦୋରିଆ ମଧ୍ୟ ସିନ୍ଧିଆଙ୍କୁ ଉପ ନିର୍ବାଚନ ପୂର୍ବରୁ କେନ୍ଦ୍ରରେ କ୍ୟାବିନେଟ୍ ପଦ ଦେବାକୁ ଦାବି କରି ସାରିଛନ୍ତି।

କଂଗ୍ରେସର ବିଦ୍ରୋହୀ ବିଧାୟକ ମାର୍ଚ୍ଚ ମାସରେ ପଦରୁ ଇସ୍ତଫା ଦେଇଥିଲେ। ଖାଲି ପଡିଥିବା ଆସନରେ ଛଅ ମାସ ଭିତରେ ନିର୍ବାଚନ ହେବାର ନିୟମ ରହିଛି। ତେଣୁ ସେପ୍ଟେମ୍ବର ସୁଦ୍ଧା ଉପ ନିର୍ବାଚନ ହେବାର ଆଶା କରାଯାଉଛି।

ସୂତ୍ର ଅନୁଯାୟୀ ରାଜ୍ୟସଭା ସିଟ୍ ଜିତିବା ପରେ ସିନ୍ଧିଆ ମଧ୍ୟ ଶୀଘ୍ର କେନ୍ଦ୍ର ସରକାରରେ ସାମିଲ ହେବାକୁ ଚାହୁଁଛନ୍ତି। ବିଜେପିରେ ସାମିଲ ହେବା ପୂର୍ବରୁ ସେ ପାର୍ଟିର ହାଇକମାଣ୍ଡଙ୍କ ସହିତ ଏହି ବିଷୟରେ ଆଲୋଚନା କରିଥିଲେ। ତେଣୁ ବିଜେପି ତାଙ୍କୁ ଉପ ନିର୍ବାଚନ ପୂର୍ବରୁ ମନ୍ତ୍ରୀ କରିବାକୁ ପ୍ରସ୍ତୁତି କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.