ଆଜି ବିଜେପିରେ ସାମିଲ ହେବେ ସିନ୍ଧିଆ ! ମୋଦୀଙ୍କ କ୍ୟାବିନେଟରେ ମିଳିପାରେ ସ୍ଥାନ
10/03/2020 at 1:51 PM

ଭୋପାଳ, ୧୦|୦୩: ମଧ୍ୟପ୍ରଦେଶରେ ରାଜନୈତିକ ଗୋଟିଚାଳନାରେ ପାରଙ୍ଗମ ଥିବା ଟାଣୁଆ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବେ ଦଳ ଛାଡିଛନ୍ତି। ସେ ନିଜର ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି। ମଙ୍ଗଳବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ପରେ ସେ ଏହି ନିଷ୍ପତ୍ତି ନେଇଥିଲେ। ଆଜି ସଂଧ୍ୟା ୬ଟାରେ ସେ ବିଜେପିରେ ସାମିଲ ହେବେ ବୋଲି କୁହାଯାଉଛି।

ବିଜେପି ଶିବିରକୁ ଆସିବା ପରେ ସିନ୍ଧିଆଙ୍କୁ ସେହି ସମ୍ମାନ ମିଳିବ ଯାହା ପାଇଁ ସେ କଂଗ୍ରେସରେ ସଙ୍ଘର୍ଷ କରୁଥିଲେ। ବିଜେପି ତାଙ୍କୁ ରାଜ୍ୟସଭା ପଠାଇବ ବୋଲି କୁହାଯାଉଛି। ଏହା ବ୍ୟତୀତ ମୋଦୀଙ୍କ କ୍ୟାବିନେଟରେ ତାଙ୍କୁ ସ୍ଥାନ ମିଳିବ ବୋଲି ମଧ୍ୟ ସୂଚନା ମିଳିଛି।

ସୂତ୍ରାନୁସାରେ, ସଂସଦର ଚଳିତ ଅଧିବେସନ ପରେ କ୍ୟାବିନେଟରେ ବିସ୍ତାର ହେବ। ଏଥିରେ ସିନ୍ଧିଆଙ୍କୁ ସାମିଲ କରାଯିବ। ସିନ୍ଧିଆଙ୍କ ପରେ ୧୯ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେଇଛନ୍ତି। ଫଳରେ କମଲନାଥ ସରକାର ଭାଙ୍ଗିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ବିଜେପି ପୁଣି ମଧ୍ୟପ୍ରଦେଶରେ ସରକାର ଗଠନ କରିବ ବୋଲି ସ୍ପଷ୍ଟ ହୋଇଛି।