ଦେଶର ସବୁଠୁ ସୁନ୍ଦରୀ ମହିଳାଙ୍କ ମଧ୍ୟରେ ସାମିଲ ହୋଇସାରିଛନ୍ତି ଜ୍ୟୋତିରାଦିତ୍ୟଙ୍କ ପତ୍ନୀ ପ୍ରିୟଦର୍ଶିନୀ : ଉଭୟଙ୍କ ପ୍ରେମ କାହାଣୀ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ
11/03/2020 at 11:44 AM

ଭୋପାଳ ୧୧/୩: ମଧ୍ୟପ୍ରଦେଶରେ ରାଜନୈତିକ କ୍ଷେତ୍ରରେ ଉତ୍ଥାନ-ପତନ ଜୋରଦାର ଚାଲିଛି,କଂଗ୍ରେସ୍ ପାର୍ଟିରୁ ତିକ୍ତତା ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ଏବଂ ଆଜି ସେ ବିଜେପିରେ ସାମିଲ ହେବେ। କଂଗ୍ରେସ୍ ତାଙ୍କ ଇସ୍ତଫା ପରେ ତାଙ୍କ ବିରୋଧରେ ଅନୁଶାସନମୂଳକ କାର୍ଯ୍ୟାନୁଷ୍ଠାନ କରି ତାଙ୍କୁ ପାର୍ଟିରୁ ବହିଷ୍କାର କରିଛି। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମେତ ତାଙ୍କ ୨୨ଜଣ ସମର୍ଥକ ମଧ୍ୟ ଇସ୍ତଫା ଦେଇ ଦେଇଛନ୍ତି ଯାହା ପରେ କମଲନାଥ ସରକାର ବିପଜ୍ଜନକ ସ୍ଥିତିରେ ଆସିଯାଇଛି।

ଏଥିପାଇଁ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ସମର୍ଥକମାନେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବେଇମାନ,ବିଦ୍ରୋହୀ ବୋଲି ସମ୍ବୋଧିତ କରୁଛନ୍ତି। ମଧ୍ୟପ୍ରଦେଶରେ ଲଗାତାରଭାବେ ରାଜନୈତିକ ଯୁଦ୍ଧ ଜାରି ରହିଛି କିନ୍ତୁ ଏହି ପରିସ୍ଥିତି ମଧ୍ୟରେ ଆଜି ଆମେ ଆଲୋଚନା କରିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ। ସିନ୍ଧିଆ ବଂଶର ମହାରାଜା କୁହାଯାଉଥିବା ଜ୍ୟୋତିରାଦିତ୍ୟ ଭାରତର ପଞ୍ଚଦଶ ଲୋକସଭାରେ ମନମୋହନ ସରକାର ଥିବା ସମୟରେ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ଥିଲେ।

ମାତ୍ର ୧୯ବର୍ଷ ବୟସରେ ଜ୍ୟୋତିରାଦିତ୍ୟ ପାଠ ପଢ଼ିବା ପାଇଁ ବିଦେଶ ଯାଇଥିଲେ। ସେ ହାଭାର୍ଡ଼ ୟୁନିଭର୍ସିଟିରୁ ଗ୍ରାଜୁଏସନ କରିଛନ୍ତି। ରାଜ ପରିବାରରେ ବଡ଼ ହୋଇଥିବା ଜ୍ୟୋତିରାଦିତ୍ୟଙ୍କ ପ୍ରେମ କାହାଣୀ ଅତ୍ୟନ୍ତ ଚମତ୍କାର। କୁହାଯାଏ ତାଙ୍କର ଏବଂ ତାଙ୍କ ପତ୍ନୀ ପ୍ରିୟଦର୍ଶିନୀ ରାଜେଙ୍କ ସାକ୍ଷାତ ଏକ ପ୍ରଦର୍ଶନୀରେ ହୋଇଥିଲା।

କିଛି ଦିନ ତଳେ ଏକ ଟିଭି ସାକ୍ଷାତକାରରେ ଜ୍ୟୋତିରାଦିତ୍ୟ କହିଥିଲେ ଯେ ତାଙ୍କ ପରିବାର ଲୋକେ ତାଙ୍କୁ ଭେଟାଇଥିଲେ କିନ୍ତୁ ସେମାନଙ୍କ ହଁ ଉପରେ ସବୁ ନିର୍ଭର କରୁଥିଲା। କିନ୍ତୁ ସେ ଯେତେବେଳେ ପ୍ରିୟଦର୍ଶିନୀଙ୍କୁ ଭେଟିଥିଲେ ସେତେବେଳେ ସେ ମନା କରି ପାରିନଥିଲେ। ୧୯୯୪ମସିହାରେ ଉଭୟଙ୍କ ବିବାହ ହୋଇଥିଲା।

ପ୍ରିୟଦର୍ଶିନୀ ଗୁଜରାଟର ବଡ଼ୌଦା ସହରରେ ଗାୟକଓ୍ବାଡ଼ ମରାଠୀ ରାଜ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ପ୍ରିୟଦର୍ଶିନୀଙ୍କ ମାଆ ନେପାଳର ରାଜପରିବାରର ଥିଲେ। ପ୍ରିୟଦର୍ଶିନୀଙ୍କୁ ୨୦୧୨ମସିହାରେ ଫେମିନା ଦେଶର ୫୦ଟି ସବୁଠୁ ସୁନ୍ଦରୀ ମହିଳାଙ୍କ ମଧ୍ୟରେ ସାମିଲ କରିଥିଲା। କେବଳ ଏତିକି ନୁହେଁ ୨୦୦୮ମସିହାରେ ପ୍ରିୟଦର୍ଶିନୀଙ୍କୁ ବେଷ୍ଟ ଡ୍ରେସ୍ଡ ହାଲ୍ ଅଫ୍ ଫେମ୍ ଲିଷ୍ଟରେ ମଧ୍ୟ ସାମିଲ କରାଯାଇଥିଲା।

ପ୍ରିୟଦର୍ଶିନୀ ମୁମ୍ବାଇର ଫୋର୍ଟ କନଭେଣ୍ଟ ସ୍କୁଲ ଏବଂ ସୋଫିଆ କଲେଜରୁ ଶିକ୍ଷା ଗ୍ରହଣ କରିଥିଲେ। ସେ ମିଡିଆଠୁ ଦୂରରେ ରୁହନ୍ତି। ତାଙ୍କ ନିକଟ ଲୋକେ ତାଙ୍କୁ ଶାନ୍ତ,ସୁଶୀଳ ଏବଂ ଦୟାଳୁ କହିଥାଆନ୍ତି।

ବାପାଙ୍କ ମୃତ୍ୟୁ ଜ୍ୟୋତିରାଦିତ୍ୟଙ୍କୁ ପରିବର୍ତ୍ତନ କରିଥିଲା। ହାଭାର୍ଡ଼ରୁ ଶିକ୍ଷା ଗ୍ରହଣ କରି ଫେରିଥିବା ଜ୍ୟୋତିରାଦିତ୍ୟଙ୍କୁ ଘର ସହିତ ନିଜ ବାପାଙ୍କ ରାଜନୈତିକ ଉତ୍ତରାଧିକାର ମଧ୍ୟ ସମ୍ଭାଳିବାକୁ ପଡ଼ିଥିଲା। ଏସବୁ ସହଜ ନଥିଲା କିନ୍ତୁ ଜ୍ୟୋତିରାଦିତ୍ୟଙ୍କୁ ସବୁବେଳେ ପ୍ରିୟଦର୍ଶିନୀଙ୍କ ସହଯୋଗ ମିଳିଥିଲା। ଉଭୟଙ୍କ ଦୁଇ ସନ୍ତାନ ଅଛନ୍ତି,ସେମାନେ ହେଲେ ମହାନ ଆର୍ଯ୍ୟମନ ଏବଂ ଅନନ୍ୟା।
