ଶାଶୂ ପାଇଁ ପରିବା କିଣି ଚୋଟ ଖାଇଲା ଭାବି ଜ୍ୱାଇଁ, ମନ୍ଦିର ଆଗରେ ହାଣିଲା ଶଳା

Published By : Prameya-News7 Bureau | July 16, 2021 IST

ପୁରୀ,୧୬/୦୭: ବିବାହ ପୂର୍ବରୁ ବରକୁ ହୋଇଛି ଚୋଟ । ବରକୁ ହାଣିଛନ୍ତି ଆଗକୁ ହେବାକୁ ଥିବା ଶାଳା ଓ ଶଳା ଭାଉଜ । ଏନେଇ ବଳିଆପଣ୍ଡା ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ମାମଲାରେ ଅନ୍ୟଜଣେ ମଧ୍ୟ ସାମିଲ୍‌ ଥିବା ପୁଲିସ କହିଛି । ଆକ୍ରମଣରେ ଆହତ ଜଣକ ହେଲେ ଏହି ଥାନା ଅଧୀନ ଶାନ୍ତି ଗେଷ୍ଟ ହାଉସ୍‌ ନିକଟର ଜଗନ୍ନାଥ ପଣ୍ଡା । ମୁଖ୍ୟ ଆକ୍ରମଣକାରୀ ହେଲା ସେହି ଅଞ୍ଚଳର କାଳିଆ ବିଶ୍ୱାଳ ।

ପୁଲିସ ସୂତ୍ରରୁ ଖବର ମଳିଛି ଯେ, ଜଗନ୍ନାଥଙ୍କ ସହ କାଳିଆର(ଶଳା) ଭଉଣୀଙ୍କ ବିବାହ ସ୍ଥିର ହୋଇଛି । କାଳିଆ ନିଶା ସେବନ କରୁଥିବାରୁ ତା’ ମାଆ ଘର ସଉଦା କିଣିବା ପାଇଁ ଆଗକୁ ହେବାକୁ ଥିବା ଜ୍ୱାଇଁ ଜଗନ୍ନାଥଙ୍କୁ ଟଙ୍କା ଦେଇଥିଲେ ବୋଲି ପୁଲିସ କହିଛି । ଜଗନ୍ନାଥ ଏହି ଟଙ୍କାରେ ସଉଦା କିଣି କାଳିଆର ମା’ଙ୍କୁ ଦେଇଥିଲେ । ହେଲେ ଏସବୁ କାଳିଆ ସହି ପାରିନଥିଲା । ବିବାହ ପୂର୍ବରୁ ଏତେ, ବିବାହ ପରେ କେତେ ହେବ ବୋଲି କହି ଗତ ୧୪ ତାରିଖରେ ସ୍ଥାନୀୟ ହନୁମାନ ମନ୍ଦିର ନିକଟରେ ବସିଥିବା ଜଗନ୍ନାଥଙ୍କୁ ହାଣିଥିଲା ।

ହେଲେ ଏନେଇ ଜଗନ୍ନାଥ ଏତଲା ଦେଇନଥିବା ପୁଲିସ କହିଛି । ଚିକିତ୍ସା ପରେ ଘରକୁ ଫେରିଥିବାବେଳେ ୧୫ ତାରିଖରେ କାଳିଆ ତା’ ପତ୍ନୀ ଓ ସାଙ୍ଗଙ୍କୁ ନେଇ ଜଗନ୍ନାଥଙ୍କୁ ପୁଣି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏନେଇ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । କାଳିଆ, ତା’ ପତ୍ନୀ ଓ ସାଙ୍ଗ ବିରୋଧରେ ଏହି ମାମଲା ରୁଜୁ ହୋଇଥିବା ପୁଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.