ଖେଳାଳିଙ୍କ ଆହତ ସମସ୍ୟା ପାଇଁ ଆଇପିଏଲକୁ ଦାୟୀ କଲେ ଅଷ୍ଟ୍ରେଲିଆ କୋଚ୍, କହିଲେ…
13/01/2021 at 4:01 PM

ବ୍ରିସବେନ ୧୩।୦୧: ବର୍ତ୍ତମାନ ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଦଳର ଅନେକ ଖେଳାଳି ଆହତ ହୋଇ ଟେଷ୍ଟ ସିରିଜ୍ରୁ ବାଦ୍ ପଡିଛନ୍ତି। ଖେଳାଳି କ୍ରମାଗତ ଆହତ ହେବାରୁ ଭାରତୀୟ ଶିବିର ବହୁତ ଚିନ୍ତିତ ରହିଛି। ଦଳର ମୁଖ୍ୟ ଦ୍ରୁତ ବୋଲର ମହମ୍ମଦ ସାମି, ଓ୍ଵିକେଟ୍ କିପର କେଏଲ ରାହୁଲ ଓ ଦ୍ରୁତ ବୋଲର ଉମେଶ ଯାଦବ ଆହତ କାରଣରୁ ସିରିଜ୍ରୁ ବାହାରି ଯାଇଛନ୍ତି। ଏବେ ଆହତ ତାଲିକାରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା, ହନୁମା ବିହାରୀ ଓ ଯଶପ୍ରୀତ ବୁମରାଙ୍କ ନାମ ଯୋଡି ହୋଇ ଯାଇଛି। ଜାଡେଜା ଓ ବିହାରୀ ଚତୁର୍ଥ ଟେଷ୍ଟରୁ ବାଦ୍ ପଡିଛନ୍ତି। ସେହି ପରି ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟସମ୍ୟାନ ଡେଭିଡ୍ ଓ୍ଵାର୍ଣ୍ଣର ପ୍ରଥମ ଦୁଇଟି ଟେଷ୍ଟ ଖେଳି ପାରି ନଥିଲେ। ଏହାକୁ ନେଇ ଘରୋଇ ଅଷ୍ଟ୍ରେଲିଆ ଦଳର ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗର କହିଛନ୍ତି ଖେଳାଳି ଆହତ ହେବାର କାରଣ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)।
ଲାଙ୍ଗରଙ୍କୁ ଆଇପିଏଲ ପସନ୍ଦ ମାତ୍ର ସେ ଗତ ସିଜିନର ସମୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ବର୍ତ୍ତମାନ ସିରିଜ୍ରେ ଭାରତ ଓ ଅଷ୍ଟ୍ରେଲିଆର ଏତେ କ୍ରିକେଟ୍ର ଆହତ ହେବା ପଛରେ ଏହି ଲିଗ୍ ମଧ୍ୟ ଦାୟୀ। କରୋନା ମହାମାରୀ କାରଣରୁ ଆଇପିଏଲ ୨୦୨୦ ସେପ୍ଟେମ୍ବରରେ ୟୁଏଇେ ଖେଳା ଯାଇଥିଲା।
ସାଧାରଣତଃ ଏହି ଟୂର୍ଣ୍ଣାମେଣ୍ଟ ଏପ୍ରିଲ-ମେ ମଧ୍ୟରେ ଭାରତରେ ଖେଳା ଯାଇଥାଏ। ଆଇପିଏଲ ପରେ ଭାରତର ଅନେକ ଖେଳାଳି ଆହତ ହେବା ସହ ଅଷ୍ଟ୍ରେଲିଆ ଦଳ ମଧ୍ୟ ଫିଟନେସ୍ ସମସ୍ୟା ଦେଇ ଗତି କରୁଛି। ଲାଙ୍ଗର ଏକ ଭର୍ଚୁଆଲ କନଫରେନ୍ସରେ କହିଛନ୍ତି ଏହି ସିଜିନ୍ରେ ଆହତ ଖେଳାଳିଙ୍କ ତାଲିକା ଖୁବ୍ ଲମ୍ବା। ମୋ ମତରେ ଆଇପିଏଲ ୨୦୨୦ ଉଚିତ୍ ସମୟରେ ଖେଳା ଯାଇନଥିଲା। ବିଶେଷ କରି ଏତେ ବଡ ସିରିଜ୍ ପୂର୍ବରୁ ଏହି ଟୂର୍ଣ୍ଣାମେଣ୍ଟ ଖେଳାଳିଙ୍କ ଆହତ ସମସ୍ୟା ପାଇଁ ଅନେକାଂଶରେ ଦାୟୀ ବୋଲି ଲାଙ୍ଗର କହିଛନ୍ତି।
ଲାଙ୍ଗର ଆଇପିଏଲର ପ୍ରଶଂସା କରି କହିଛନ୍ତି, ମୋତେ ଆଇପିଏଲ ବହୁତ ପସନ୍ଦ। ଏହା ସେହି ପରି ଯେତେବେଳେ ମୁଁ ଯୁବକ ସମୟରେ କାଉଣ୍ଟି କ୍ରିକେଟ୍ ଖେଳୁଥିଲି। କାଉଣ୍ଟି ଖେଳି କ୍ରିକେଟ୍ ଖେଳାଳି ନିଜ ଖେଳ ଶୈଳୀରେ ବିକାଶ କରୁଥିଲେ। ମାତ୍ର ଏଥର ଟାଇମିଂ ସଠିକ୍ ନଥିଲା। ଦୁଇ ଦଳରେ ଆହତ ଖେଳାଳିଙ୍କ ସଂଖ୍ୟା ଏତେ ରହିଛି ଯାହା ସିରିଜ୍କୁ ପ୍ରଭାବିତ କରୁଛି। ମୋତେ ବିଶ୍ଵାସ ଯେ ଏହାର ସମୀକ୍ଷା କରାଯିବ।
ଭାରତୀୟ ଦଳରେ ଯଶପ୍ରୀତ ବୁମରା ଓ ରବୀନ୍ଦ୍ର ଜାଡେଜା ନଖେଳିଳେ ଦଳ ଉପରେ ଏହାର କେତେ ପ୍ରଭାବ ପଡିବ ? ଏହି ପ୍ରଶ୍ନର ଉତ୍ତରରେ ଲାଙ୍ଗର କହିଛନ୍ତି ନିଶ୍ଚିତ ରୂପେ ଭାରତୀୟ ଦଳ ଉପରେ ଏହାର ପ୍ରଭାବ ପଡିବ। ଚତୁର୍ଥ ଟେଷ୍ଟ ଜାନୁଆରୀ ୧୫ରୁ ବ୍ରିସବେନରେ ଖେଳାଯିବ। ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ୧-୧ ସମାନ ସ୍ଥିତିରେ ରହିଛି।