୧୮ତାରିଖରେ ସୁପ୍ରିମକୋର୍ଟର ନୂଆ ମୁଖ୍ୟବିଚାରପତି ହେବେ ଜଷ୍ଟିସ୍ ଶରଦ ଅରବିନ୍ଦ ବୋବଡେ, ଜାଣନ୍ତୁ ତାଙ୍କ ସମ୍ପର୍କରେ ସବିଶେଷ ତଥ୍ୟ
15/11/2019 at 11:14 PM

ନୂଆଦିଲ୍ଲୀ : ଦେଶର ମୁଖ୍ୟ ନ୍ୟାୟାଧୀଶ ଭାବେ ଜଷ୍ଟିସ ରଞ୍ଜନ ଗୋଗଇଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଛି। ଏଣୁ ତାଙ୍କ ସ୍ଥାନରେ ବରିଷ୍ଠତମ ବିଚାରପତି ଜଷ୍ଟିସ୍ ଶରଦ ଅରବିନ୍ଦ ବୋବଡେ ହେବେ ଦେଶର ନୂତନ ମୁଖ୍ୟ ବିଚାରପତି। ଆସନ୍ତା ନଭେମ୍ବର ୧୮ ତାରିଖ ସୋମବାର ଦିନ ସେ ଦେଶର ୪୭ତମ ମୁଖ୍ୟ ନ୍ୟାୟାଧୀଶ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ। ଏହି ପଦବୀରେ ସେ ୨୩ ଜାନୁୟାରୀ ୨୦୨୧ ପର୍ଯ୍ୟନ୍ତ କାର୍ଯ୍ୟକରିବେ। ତେବେ ଆସନ୍ତୁ ଜାଣିବା ଦେଶର ନୂଆ ସିଜେଆଇଙ୍କୁ ।

ସିଜେଆଇ ଭାବେ ବୋବଡେଙ୍କ ନିଯୁକ୍ତିକୁ ଅନେକ ପୂର୍ବରୁ ରାଷ୍ଟ୍ରପତିଙ୍କ ସ୍ୱୀକୃତି ମିଳିସାରିଛି। ଏଥିଲାଗି ତାଙ୍କ ନିଯୁକ୍ତିପତ୍ର ଜାରୀ ମଧ୍ୟ ହୋଇଯାଇଛି। ୨୪ ଏପ୍ରିଲ ୧୯୫୬ ମସିହାରେ ମହାରାଷ୍ଟ୍ରର ନାଗପୁର ସହରରେ ଜନ୍ମିତ ଜଷ୍ଟିସ ଏସ.ଏ.ବୋବଡେଙ୍କ ପିତା ଅରବିନ୍ଦ ବୋବଡେ ୧୯୮୦ରୁ ୧୯୮୫ ମସିହା ପର୍ଯ୍ୟନ୍ତ ମହାରାଷ୍ଟ୍ର ରାଜ୍ୟର ଆଡଭୋକେଟ ଜେନେରାଲ ଭାବେ ଅବସ୍ଥାପିତ ଥିଲେ।

ଜଷ୍ଟିସ ଏସ.ଏ.ବୋବଡେ ସେଣ୍ଟ ଫ୍ରାନ୍ସିସ୍ ଡିସେଲ୍ସ କଲେଜରୁ ସ୍ନାତକ ଉତୀର୍ଣ୍ଣ ହେବା ପରେ ନାଗପୁର ବିଶ୍ୱବିଦ୍ୟାଳୟରୁ ଏଲ.ଏଲବି ଡିଗ୍ରି ହାସଲ କରିଥିଲେ। ୧୯୭୮ ମସିହାରେ ସେ ଓକିଲାତିକୁ ପେଷା ଭାବେ ଗ୍ରହଣ କରି ମହାରାଷ୍ଟ୍ର ବାରକାଉନସିଲରେ ନିଜକୁ ସାମିଲ କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚରେ ଓକିଲାତି କରୁଥିଲେ। ୧୯୯୮ ମସିହାରେ ତାଙ୍କୁ ବରିଷ୍ଠ ଓକିଲ ଭାବେ ସ୍ୱୀକୃତି ମିଳିଥିଲା। ୨୦୦୦ ମସିହାରେ ତାଙ୍କୁ ବମ୍ବେ ହାଇକୋର୍ଟରେ ଆଡିଶନାଲ ଜଜ୍ ନିଯୁକ୍ତ କରାଯାଇଥିଲା। ଏହି ଠାରୁ ହିଁ ଆରମ୍ଭ ହୋଇଥିଲା ଜଷ୍ଟିସ ବୋବଡେଙ୍କ ବିଚାରପତି ଜୀବନ।

୨୦୧୨ ମସିହାରେ ଜଷ୍ଟିସ ବୋବଡେ ମଧ୍ୟପ୍ରଦେଶ ଉଚ୍ଚନ୍ୟାୟାଳୟଙ୍କ ମୁଖ୍ୟ ବିଚାରପତି ନିଯୁକ୍ତ ହୋଇଥିବା ବେଳେ ୨୦୧୩ ମସିହାରେ ତାଙ୍କୁ ସୁପ୍ରିମକୋର୍ଟରେ ଜଜ୍ ଭାବେ ପଦୋନ୍ନତି ମିଳିଥିଲା। ସୁପ୍ରିମକୋର୍ଟଙ୍କ ନ୍ୟାୟାଧୀଶ ଭାବେ ଜଷ୍ଟିସ ବୋବଡେ ଅନେକ ଗୁରୁତ୍ୱପୂର୍ଣ୍ଣ ମୋକଦ୍ଦମାର ଶୁଣାଣି କରିବା ସହ ରାୟ ମଧ୍ୟ ଘୋଷଣା କରିଛନ୍ତି। ତାଙ୍କ ପ୍ରଦତ୍ତ ରାୟ ମଧ୍ୟରେ ଅଧାର ପ୍ରକରଣ ଅନ୍ୟତମ। ଯେଉଁଥିରେ ଆଧାର ନଥିଲେ କୌଣସି ନାଗରିକକୁ ତାର ମୌଳିକ ଅଧିକାର ଓ ସବସିଡରୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି ଜଷ୍ଟିସ ବୋବଡେ ଯୁଗାନ୍ତକାରୀ ରାୟ ଦେଇଥିଲେ। ଏହା ଛଡା ରାମଜନ୍ମଭୂମି ପ୍ରକରଣର ଶୁଣାଣି କରିଥିବା ୫ ସଦସୀୟ ସମ୍ବିଧାନ ପୀଠର ମଧ୍ୟ ସେ ସଦସ୍ୟଥିଲେ।

ମୁଖ୍ୟ ନ୍ୟାୟାଧୀଶ ରଞ୍ଜନ ଗୋଗଇ ସର୍ବୋଚ୍ଚନ୍ୟାୟାଳୟଙ୍କ ସ୍ଥାପିତ ପରମ୍ପରା ଅନୁଯାୟୀ ଅକ୍ଟୋବର ଶେଷ ସପ୍ତାହରେ ଜଷ୍ଟିସ ବୋବଡେଙ୍କୁ ସର୍ବୋଚ୍ଚନ୍ୟାୟାଳୟଙ୍କ ବରିଷ୍ଠତମ ନ୍ୟାୟାଧୀଶ ଭାବେ ନିଯୁକ୍ତି ଲାଗି ସୁପାରିସ କରିଥିଲେ। ସେହି ଅନୁସାରେ ତାଙ୍କର ନିଯୁକ୍ତି ହୋଇଥିବା ବେଳେ ଏବେ କେବଳ କାର୍ଯ୍ୟଭାର ନେବା ବାକି ଅଛି।