ସୋମବାର ଶପଥ ନେବେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍. ମୁରଲୀଧର

Published By : Prameya-News7 Bureau | January 02, 2021 IST

କଟକ ୨।୧: ଆସନ୍ତା ୪ ତାରିଖରେ ଶପଥ ନେବେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍. ମୁରଲୀଧର । ସୋମବାର ଦିନ ସକାଳ ୧୦ଟାରେ ସେ ଶପଥ ଗ୍ରହଣ କରିବେ । ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଥିବା ନେଇ ଗତ ୩୧ତାରିଖରେ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପଞ୍ଜାବ-ହରିୟାଣା ହାଇକୋର୍ଟର ବରିଷ୍ଠ ବିଚାରପତି ଥିଲେ ଜଷ୍ଟିସ୍‌ ଏସ୍‌. ମୁରଲୀଧର ।

ଜଷ୍ଟିସ୍‌ ମୁରଲୀଧର ମାଡ୍ରାସ ବିଶ୍ବବିଦ୍ୟାଳୟରୁ ଏଲ୍‌ଏଲ୍‌ବି ଓ ନାଗପୁର ବିଶ୍ବବିଦ୍ୟାଳୟରୁ ଏଲ୍‌ଏଲ୍‌ଏମ୍‌ ଡିଗ୍ରୀ ପରେ ସେ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ପିଏଚ୍‌ଡି କରିଥିଲେ । ପ୍ରଥମେ ସେ ଚେନ୍ନାଇରେ ଆଇନଜୀବୀ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ଜଷ୍ଟିସ୍‌ ମୁରଲୀଧର ପ୍ରଥମେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବେ ୨୦୦୬ ମସିହା ମେ’ରେ ନିଯୁକ୍ତି ପାଇଥିଲେ । ଗତ ମାର୍ଚ୍ଚ ୨୦ରେ ପଞ୍ଜାବ-ହରିୟାଣା ହାଇକୋର୍ଟକୁ ତାଙ୍କର ବଦଳି ହୋଇଥିଲା ।

ନିକଟରେ ଦେଶର ବିଭିନ୍ନ ହାଇକୋର୍ଟର ବିଚାରପତିଙ୍କ ବଦଳି ନେଇ ସୁପ୍ରିମ୍‌କୋର୍ଟ କଲେଜିୟମ୍‌ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । କଲେଜିୟମ୍‌ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହାକୁ ଅନୁମୋଦନ ଲାଗି କେନ୍ଦ୍ର ମନ୍ତ୍ରାଳୟକୁ ପଠାଯାଇଥିଲା । କେନ୍ଦ୍ର ଆଇନ ମନ୍ତ୍ରାଳୟର ସ୍ବୀକୃତି ଓ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଗୁରୁବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.