ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଏସ୍. ମୁରଲୀଧର
4/01/2021 at 11:00 AM

କଟକ ୪।୧: ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଡକ୍ଟର ଏସ୍. ମୁରଲୀଧର । ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଜଷ୍ଟିସ୍ ମୁରଲୀଧରଙ୍କୁ ଶପଥ ପାଠ କରାଇଛନ୍ତି । ଶପଥ ପାଠ କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଡିଜିପି ଅଭୟ, ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର, ଗୃହ ବିଭାଗ ସଚିବ, ହାଇକୋର୍ଟର ବରିଷ୍ଠ ବିଚାରପତିମାନେ ଉପସ୍ଥିତ ଥିଲେ ।
ପଞ୍ଜାବ ଓ ହରିୟାନା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟରତ ଡକ୍ଟର ଜଷ୍ଟିସ୍ ଏସ୍.ମୁରଲୀଧରଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି । ଜଷ୍ଟିସ୍ ଡକ୍ଟର ଏସ୍.ମୁରଲୀଧର ୧୯୮୪ରେ ଚେନ୍ନାଇଠାରେ ଆଇନ କାର୍ଯ୍ୟ ଆରମ୍ଭ କରିଥିଲେ । ୧୯୮୭ରେ ଦିଲ୍ଲୀକୁ ସ୍ଥାନାନ୍ତର ହୋଇ ସୁପ୍ରିମକୋର୍ଟ ଓ ଦିଲ୍ଲୀ ହାଇକୋର୍ଟରେ ଓକିଲାତି କରିଥିଲେ ।
ସୁପ୍ରିମକୋର୍ଟ ଆଇନ ସେବା କମିଟି ଓକିଲ ଭାବେ ଡକ୍ଟର ମୁରଲୀଧର ଖୁବ୍ ସକ୍ରିୟ ଥିଲେ । ଏହି କମିଟିକୁ ଦୁଇ ଥର ନିର୍ବାଚିତ ହୋଇଥିଲେ । ଭୋପାଳ ଗ୍ୟାସ୍ ଦୁର୍ଘଟଣା ଏବଂ ନର୍ମଦା ନଦୀବନ୍ଧ ବିସ୍ଥାପିତଙ୍କ ପାଇଁ ଓକିଲାତି କରି ଖୁବ୍ ଚର୍ଚ୍ଚାରେ ରହିଥିଲେ ଡକ୍ଟର ମୁରଲୀଧର । ୨୦୦୨ରୁ ୨୦୦୬ ମଧ୍ୟରେ ଲ’ କମିସନ ପାର୍ଟଟାଇମ୍ ସଦସ୍ୟ ଭାବେ କାର୍ଯ୍ୟ କରିବା ସହ ଜାତୀୟ ମାନବାଧିକାର ଆୟୋଗ ଓ ଭାରତୀୟ ନିର୍ବାଚନ ଆୟୋଗଙ୍କ ଓକିଲ ଭାବେ ବିଭିନ୍ନ ଅଦାଲତରେ ମାମଲା ପରିଚାଳନା କରିଛନ୍ତି । ୨୯ ମଇ ୨୦୦୬ରେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ ଡକ୍ଟର ମୁରଲୀଧର । ପରେ ୬ ମାର୍ଚ୍ଚ ୨୦୨୦ରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟକୁ ବଦଳି ହୋଇଥିଲେ ।