ପରବର୍ତ୍ତୀ CJI ହେବେ ଜଷ୍ଟିସ୍ ଶରଦ ଅରବିନ୍ଦ ବୋବଡେ, ତାଙ୍କ ନାଁରେ ମୋହର ମାରିଲେ ରାଷ୍ଟ୍ରପତି
29/10/2019 at 2:12 PM

ନୂଆଦିଲ୍ଲୀ ୨୯।୧୦: ଜଷ୍ଟିସ୍ ଶରଦ ଅରବିନ୍ଦ ବୋବଡେ ନଭେମ୍ବର ୧୮ତାରିଖରେ ଦେଶର ନୂଆ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିବେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ନିଯୁକ୍ତିକୁ ମଂଜୁର କରିଛନ୍ତି ।
ଗତ ୧୮ ତାରିଖରେ ଜଷ୍ଟିସ୍ ବୋବଡେଙ୍କ ନାଁକୁ ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ୍ ରଂଜନ ଗୋଗୋଇ ସୁପାରିଶ କରିଥିଲେ । ୪୬ତମ ପ୍ରଧାନ ବିଚାରପତି ଜଷ୍ଟସ୍ ରଂଜନ ଗୋଗୋଇ ନଭେମ୍ବର ୧୭ ତାରିଖରେ ଅବସର ନେବେ । ଏହାପରେ ନଭେମ୍ବର ୧୮ ତାରିଖରେ ଜଷ୍ଟିସ୍ ବୋବଡେ ସୁପ୍ରିମକୋର୍ଟର ୪୭ତମ ପ୍ରଧାନ ବିଚାରପତି ଭାବେ ଶପଥ ନେବେ । ରାଷ୍ଟ୍ରପତି ତାଙ୍କୁ ଶପଥ ପାଠ କରାଇବେ ।
୧୯୫୬ ମସିହା ଏପ୍ରିଲ ୨୬ତାରିଖରେ ନାଗପୁରରେ ଜନ୍ମଗ୍ରହଣ କରିଥିଲେ ଜଷ୍ଟିସ୍ ଶରଦ ଅରବିନ୍ଦ ବୋବଡେ । ଜଷ୍ଟିସ୍ ବୋବଡେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଗୋଗୋଇଙ୍କ ପରେ ସୁପ୍ରିମକୋର୍ଟର ସବୁଠୁ ବରିଷ୍ଠ ବିଚାରପତି । ୨୪ ଏପ୍ରିଲ ୧୯୫୬ରେ ନାଗପୁରରେ ଜନ୍ମିତ ଜଷ୍ଟିସ୍ ବୋବଡେ ୨୦୦୦ ମସିହାରେ ବମ୍ବେ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ୨୦୧୨ ରେ ସେ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ । ଏପ୍ରିଲ ୨୦୧୩ ରେ ସେ ସୁପ୍ରିମକୋର୍ଟର ବିଚାରପତି ହୋଇଥିଲେ ।