ସୁପ୍ରିମକୋର୍ଟର ୪୬ତମ ପ୍ରଧାନ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ଗୋଗୋଇ

Published By : Prameya-News7 Bureau | September 14, 2018 IST

ଦିଲ୍ଲୀ ୧୪/୯ : ବିଚାରପତି ରଞ୍ଜନ ଗୋଗୋଇ ହେଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୋଗୋଇଙ୍କ ନିଯୁକ୍ତି ପତ୍ରରେ ମୋହର ମାରିବାପରେ ଏଥିନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଜଷ୍ଟିସ ଗୋଗୋଇ ସୁପ୍ରିମକୋର୍ଟର ୪୬ତମ ପ୍ରଧାନ ବିଚାରପତି ଭାବେ ଶପଥ ନେବେ । ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଗୋଗୋଇଙ୍କୁ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ଦେବାଲାଗି ବର୍ତ୍ତମାନର ପ୍ରଧାନ ବିଚାରପତି ଦୀପକ ମିଶ୍ର ସରକାରଙ୍କୁ ପତ୍ର ଲେଖିଥିଲେ। ଜଷ୍ଟିମ ମିଶ୍ରଙ୍କ ସୁପାରିସକୁ ସରକାର ଅନୁମୋଦନ କରି ଏହି ନିଯୁ୍କ୍ତି ପତ୍ରରେ ମୋହର ମାରିଛନ୍ତି ରାଷ୍ଟ୍ରପତି । ଅକ୍ଟୋବର ୩ରୁ ସେ ଦାୟୀତ୍ବ ଗ୍ରହଣ କରିବେ । ଅକ୍ଟୋବର ୨ ତାରିଖରେ ବର୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଅବସର ଗ୍ରହଣ କରିବେ | ଜୁସତିଶ ଗୋଗୋଇଙ୍କ କାର୍ଯ୍ୟକାଳ ୧୩ ମାସରୁ ଟିକେ ଅଧିକ ରହିବ | ସେ ୧୭ ନଭେମ୍ବର ୨୦୧୯ରେ ଅବସର ଗ୍ରହଣ କରିବେ | ୧୯୫୪ ନଭେମ୍ବର ୧୮ ତାରିଖରେ ଜଷ୍ଟିସ ଗୋଗୋଇ ଆସାମରେ ଜନ୍ମ ଗ୍ରହଣ କରିଥିଲେ | ତାଙ୍କ ପିତା କେଶବ ଚନ୍ଦ୍ର ଗୋଗୋଇ ଆସାମର ମୁଖ୍ୟମନ୍ତ୍ରୀ ଥିଲେ | ଜଷ୍ଟିସ ଗୋଗୋଇ ୧୯୭୮ରେ ହାଇକୋର୍ଟ ବାରରେ ସାମିଲ ହୋଇଥିଲେ | ଗୁଆହାଟୀ କୋର୍ଟରୁ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ | ୨୦୦୧ ଫେବୃଆରୀ ୨୮ରେ ସେ ଗୁଆହାଟୀ କୋର୍ଟ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ | ୨୦୧୦ ସେପ୍ଟେମ୍ବର ୯ ତାରିଖରେ ଜଷ୍ଟିସ ଗୋଗୋଇ ପଞ୍ଜାବ ଓ ହରିୟାଣା କୋର୍ଟକୁ ବଦଳି ହୋଇଥିଲେ | ଏହାପରେ ୨୦୧୨ ଏପ୍ରିଲ ୨୩ରେ ତାଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ମିଳିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.