ହାଇକୋର୍ଟର ନୂତନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ, ବିଚାରପତିଙ୍କ ସଂଖ୍ୟା ପହଞ୍ଚିଲା ୧୫ରେ

Published By : Prameya-News7 Bureau | February 08, 2019 IST

କଟକ ୮|୨: ହାଇକୋର୍ଟର ନୂତନ ବିଚାରପତି ଭାବେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ । ମୁଖ୍ୟ ବିଚାରପତି ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ, ଜଷ୍ଟିସ୍ ପଟ୍ଟନାୟକଙ୍କୁ ଆଜି ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହା ପୂର୍ବରୁ ଜଷ୍ଟିସ୍ ପଟ୍ଟନାୟକ ଝାଡଖଣ୍ଡ ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟରତ ଥିଲେ, ନିକଟରେ ତାଙ୍କର ଓଡିଶା ହାଇକୋର୍ଟକୁ ବଦଳି ହୋଇଛି ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜଷ୍ଟିସ୍ ପଟ୍ଟନାୟକଙ୍କ ବଦଳି ନିର୍ଦ୍ଦେଶନାମା ପାଠ କଲାପରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଝାଡଖଣ୍ଡ ହାଇକୋର୍ଟର ୪ ଜଣ ବିଚାରପତିଙ୍କ ସମେତ ଓଡିଶା ହାଇକୋର୍ଟର ସମସ୍ତ ବିଚାରପତି ମାନେ ଯୋଗ ଦେଇଥିଲେ । ଏହି ଅବସରରେ ହାଇକୋର୍ଟର ବହୁ ଆଇନଜୀବୀ, ଅବସରପ୍ରାପ୍ତ ବିଚାରପତି ଏବଂ ବହୁ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ ।

{"id":83090}

୨୦୧୪ ମସିହାରେ ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ ଝାଡଖଣ୍ଡ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ଏହା ପୂର୍ବରୁ ଜଷ୍ଟିସ୍ ପଟ୍ଟନାୟକ ଓଡିଶା ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ କାର୍ଯ୍ୟ କରିସାରିଛନ୍ତି ।

୧୦୫୯ ମସିହା ଜୁନ୍ ମାସ ୧୪ ତାରିଖରେ ଯନ୍ମ ଗ୍ରହଣ କରିଥିବା ଜଷ୍ଟିସ୍ ପଟ୍ଟନାୟକ ୟୁନିଭର୍ସିଟି ଲ’ କଲେଜରୁ ୧୯୮୬ ମସିହାରେ ଲ’ ଡିଗ୍ରୀ ହାସଲ କରିଥିଲେ । ପରେ ଜଣେ ଆଇନଜୀବୀ ଭାବେ ସେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ଜଜ୍ ଭାବେ ନିଯୁକ୍ତି ପାଇବା ଆଗରୁ ଜଷ୍ଟିସ୍ ପଟ୍ଟନାୟକ ସ୍ୟାଟ୍ ଭୁବନେଶ୍ବର ବେଞ୍ଚ୍ ପାଇଁ ଷ୍ଟାଣ୍ଡିଂ କାଉନସିଲ୍‌ ଭାବେ କାର୍ଯ୍ୟ କରିଛନ୍ତି । ପରେ ସେ ଓଡିଶା ହାଇକୋର୍ଟର ଆଡିସିନାଲ ଷ୍ଟାଣ୍ଡିଂ କାଉନସିଲ ଭାବେ ୬ ବର୍ଷ ଏବଂ ୨୦୦୬ ରୁ ୨୦୦୯ ପର୍ଯ୍ୟନ୍ତ ସେ ହାଇକୋର୍ଟରେ ଅତିରିକ୍ତ ସରକାରୀ ଓକିଲ ଭାବେ ଦକ୍ଷତାର ସହିତ କାର୍ଯ୍ୟ ତୁଲାଇଛନ୍ତି ।

ଜଷ୍ଟିସ୍ ପଟ୍ଟନାୟକ ଆଜିଠାରୁ କାର୍ଯ୍ୟରେ ଯୋଗଦେବାପରେ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୫ରେ ପହଞ୍ଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.