ଦେଶର ପ୍ରଥମ ଲୋକପାଳ ଭାବେ ଶପଥ ନେଲେ ଜଷ୍ଟିସ୍ ପିନାକୀ ଘୋଷ

Published By : Prameya-News7 Bureau | March 23, 2019 IST

ନୂଆଦିଲ୍ଲୀ ୨୩|୩ : ଆଜି ଭାରତର ପ୍ରଥମ ଲୋକପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ୍  ପିନାକୀ ଘୋଷ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଷ୍ଟିସ୍  ପିନାକୀ ଚନ୍ଦ୍ର ଘୋଷଙ୍କୁ ଶପଥ ପାଠ କରାଇଛନ୍ତି । ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଉତ୍ସବରେ ଜଷ୍ଟିସ୍ ଘୋଷ ଶପଥ ଗ୍ରହଣ କରିଛନ୍ତି ।

ଗତ ମଙ୍ଗଳବାର ଦିନ ଦେଶର ପ୍ରଥମ ଲୋକପାଳ ଭାବେ ପୂର୍ବରୁ ସୁପ୍ରିମକୋର୍ଟରେ ବିଚାରପତି ଥିବା ଜଷ୍ଟିସ୍ ଘୋଷଙ୍କ ନାମ ଘୋଷଣା କରାଯାଇଥିଲା । ଏହାଛଡ଼ା ବିଭିନ୍ନ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଥିବା ଜଷ୍ଟିସ୍  ଦିଲୀପ ବି ଭୋଷାଲେ, ପ୍ରଦୀପ କୁମାର ମହାନ୍ତି, ଅଭିଳାଷା କୁମାରୀ ଓ ବର୍ତ୍ତମାନ ଛତିଶଗଡ଼ ହାଇକୋର୍ଟରୁ ମୁଖ୍ୟ ବିଚାରପତି ଥିବା ଅଜୟ କୁମାର ତ୍ରିପାଠୀଙ୍କୁ ଲୋକପାଳରେ ଜୁଡିସିଆଲ୍ ମେମ୍ବର ଭାବେ ନିଯୁକ୍ତି ପାଇଛନ୍ତି ।

ସଶସ୍ତ୍ର ସୀମା ବଳର ପୂର୍ବତନ ପ୍ରଥମ ମହିଳା ମୁଖ୍ୟ ଅର୍ଚ୍ଚନା ରାମସୁନ୍ଦରମ୍, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟ ସଚିବ ଦୀନେଶ କୁମାର ଜୈନ, ପୂର୍ବତନ ଆଇଆର୍ ଏସ୍ ଅଧିକାରୀ ମହେନ୍ଦର ସିଂହ ଏବଂ ଗୁଜରାଟ କ୍ୟାଡର୍ ର ପୂର୍ବତନ ଆଇଏଏସ୍  ଅଧିକାରୀ ଇନ୍ଦ୍ରଜିତ ପ୍ରସାଦ ଗୌତମଙ୍କୁ ଲୋକପାଳର ନନ୍ -ଜୁଡିସିଆଲ୍  ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.