ପାକିସ୍ତାନୀ ବିଚାରପତିଙ୍କ କାରନାମା, ପ୍ରାଇଭେଟ ଚ୍ୟାମ୍ବରରେ ମହିଳାଙ୍କୁ କଲେ ଦୁଷ୍କର୍ମ

Published By : Prameya-News7 Bureau | January 30, 2020 IST

ଲାହୋର ୩୦/୦୧- ପାକିସ୍ତାନରେ ସାମାଜିକ ସ୍ଥିତି ନେଇ ଅନେକ କଥା ଉଠେ। କିନ୍ତୁ ନ୍ୟାୟଳୟରେ ବସୁଥିବା ଜଣେ ବିଚାରପତି ଏପରି କାଣ୍ଡକାରନାମା କରିପାରନ୍ତି ତାହା ବିଶ୍ବାସ ହୁଏନି । ତେବେ ଏହା ଘଟିଛି । ମାମଲା ଶୁଣାଣି କରିବା ଆଳରେ ଜଣେ ବିଚାରପତି ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । କେବଳ ଅଭିଯୋଗ ନୁହେଁ, ଏଥିରେ ସତ୍ୟତା ଥିବା ସୂଚନା ପାଇ ସଂପୃକ୍ତ ବିଚାରପତିଙ୍କୁ ଚାକିରିରୁ ସସ୍‌ପେଣ୍ଡ କରାଯାଇଛି ।

ସିନ୍ଧ ପ୍ରଦେଶରେ ଏହି ଘଟଣାଟି ଘଟିଛି । ଅଭିଯୁକ୍ତ ହେଲେ ସିଭିଲ୍‌ ଜଜ୍‌ ଇମତିୟାଜ ଭୁଟ୍ଟୋ ।ଏକ ମାମାଲାରେ ଶୁଣାଣି ବେଳେ ବିଚାରପତି ଇମତିୟାଜଙ୍କ ନାମରେ ଆସିଥିଲା ସଙ୍ଗୀନ ଅଭିଯୋଗ । ମାମଲାର ଏକ ପକ୍ଷ ଥିବା ମହିଳାଙ୍କ ଅଭିଯୋଗ ଏବଂ ଘଟଣାକ୍ରମ ଶୁଣିବାକୁ ବିଚାରପତି ତାଙ୍କୁ ତାଙ୍କ ପ୍ରାଇଭେଟ ଚ୍ୟାମ୍ବରକୁ ଡାକିଥିଲେ । ଆଉ ସେହି ପ୍ରକୋଷ୍ଠରେ ସଂପୃକ୍ତ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ ବିଚାରପତି ଇମତିୟାଜ ଭୁଟ୍ଟୋ । ପୀଡିତା ଏନେଇ ସେୱାନ ପୋଲିସରେ ଅଭିଯୋଗ କରିଥିଲେ ।

ସେ କହିଥିଲେ ଯେ, ବିଚାରପତି ତାଙ୍କୁ ତାଙ୍କ ଚ୍ୟାମ୍ବରକୁ ଡକାଇଥିଲେ । ତାପରେ ସେ ସେହି ପ୍ରକୋଷ୍ଠରୁ ଅନ୍ୟ ସମସ୍ତଙ୍କୁ ଏପରିକି ପୋଲିସକୁ ବାହାରି ଯିବାକୁ କହିଥିଲେ । ସମସ୍ତେ ବାହାରିଯିବା ପରେ ସେହି ପ୍ରକୋଷ୍ଠରେ ବିଚାରପତି ତାଙ୍କୁ ଦୁଷ୍କର୍ମ କରିଥିଲେ । ଏପରି ଅଭିଯୋଗ କରିବା ପରେ ସୃଷ୍ଟି ହୋଇଥିଲା ଆଲୋଡନ ।ତୁରନ୍ତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ସିନ୍ଧ ହାଇକୋର୍ଟ । କିନ୍ତୁ ତଦନ୍ତରେ ସହଯୋଗ କରିନଥିଲେ ସିଭିଲ ଜଜ୍‌ ଇମତିୟାଜ ଭୁଟ୍ଟୋ।

ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର ହୋଇନଥିଲେ , କିମ୍ବା ଡିଏନଏ ଟେଷ୍ଟ ପାଇଁ ସମ୍ମତ ହୋଇନଥିଲେ ।ସେପଟେ ପୋଲିସ ପୀଡିତାଙ୍କୁ ସୟଦ ଅବଦୁଲ ଶାହା ମେଡିକାଲ ଇନଷ୍ଟିଚ୍ୟୁଟ୍‌କୁ ନେଇ ତାଙ୍କର ଡାକ୍ତରୀମାଇନା କରାଇଥିଲେ । ଡାକ୍ତରୀ ରିପୋର୍ଟରୁ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଜଣା ପଡିଥିଲା । ଏହାପରେ ବିଚାରପତିଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ । ଦୁଷ୍କର୍ମ ଅଭିଯୁକ୍ତ ସିଭିଲ ଜଜ୍‌ ଇମତିୟାଜ ଭୁଟ୍ଟୋଙ୍କୁ ଆଚରଣ ଉଲଂଘନ ଅଭିଯୋଗରେ ନିଲମ୍ବନ କରିଛନ୍ତି ସିନ୍ଧ ହାଇକୋର୍ଟର ମୁଖ୍ୟ ବିଚାରପତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.