ଏପ୍ରିଲ ୨୪ରେ ଦେଶର ୪୮ତମ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ ଜଷ୍ଟିସ୍ ଏନ୍.ଭି.ରମନ୍ନା
6/04/2021 at 10:14 PM

ନୂଆଦିଲ୍ଲୀ ୬।୪: ଦେଶର ୪୮ତମ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ଏନ.ଭି. ରମନ୍ନା। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ତାଙ୍କ ନିଯୁକ୍ତିରେ ମୋହର ବାଜି ସାରିଛି। ଜଷ୍ଟିସ୍ ରମନ୍ନା ଏପ୍ରିଲ ୨୪ ତାରିଖ ଦିନ ଦେଶର ନୂଆ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱଗ୍ରହଣ କରିବେ ବୋଲି ଜଣାପଡିଛି। ଦେଶରେ ଗୃହିଣୀଙ୍କ ଘରୋଇ କାର୍ଯ୍ୟକୁ ‘ସେବା’ର ମାନ୍ୟତା ଦେଇଥିବା ଆଗାମୀ ମୁଖ୍ୟ ବିଚାରପତି ପାଠ ପଢୁଥିବା ବେଳେ ଜଣେ ଛାତ୍ର ନେତା ଥିଲେ।
ଜଷ୍ଟିସ୍ ରମନ୍ନା ୧୯୮୩ ମସିହାରେ ଓକିଲାତି ଆରମ୍ଭ କରିଥିଲେ। ରାଜ୍ୟ ଉଚ୍ଚନ୍ୟାୟାଳୟ ସମେତ ସର୍ବୋଚ୍ଚ ନ୍ୟାୟାଳୟରେ ପ୍ରାକ୍ଟିସ୍ କରୁଥିବା ବେଳେ ୨୭ ଜୁନ ୨୦୦୦ରେ ଆନ୍ଧ୍ରପ୍ରଦେଶ ଉଚ୍ଚ ନ୍ୟାୟାଳୟରେ ସ୍ଥାୟୀ ବିଚାରପତି ନିଯୁକ୍ତ ହୋଇଥିଲେ। ୨୦୧୩ରେ କାର୍ଯ୍ୟକାରୀ ମୁଖ୍ୟ ନ୍ୟାୟାଧୀଶ ନିଯୁକ୍ତ ଥିବା ବେଳେ ତାଙ୍କର ଦିଲ୍ଲୀ ଉଚ୍ଚ ନ୍ୟାୟାଳୟକୁ ବଦଳି ହୋଇଥିଲା। ୧୭ ଫେବୃଆରୀ ୨୦୧୪ରେ ସୁପ୍ରିମକୋର୍ଟ ବିଚାରପତି ନିଯୁକ୍ତ ହୋଇଥିଲେ।
ବର୍ତ୍ତମାନ ଅବସ୍ଥାପିତ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍.ଏ. ବୋବଡେଙ୍କର ସେ ସ୍ଥାନ ନେବାକୁ ଯାଉଥିବା ବେଳେ ଏହି ପଦବୀରେ ୨୬ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ୧୬ ମାସଧରି ଅବସ୍ଥାପିତ ରହିବେ। ଭାରତୀୟ ନ୍ୟାୟପାଳିକାର ସର୍ବୋଚ୍ଚ ପଦବୀରେ ପହଞ୍ଚିବା ଲାଗି ଜଷ୍ଟିସ୍ ରମନ୍ନାଙ୍କୁ ଅନେକ ଆହ୍ୱାନର ସମ୍ମୁଖୀନ ହେବାକୁ ପଡିଛି। ଗତବର୍ଷ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ବର୍ତ୍ତମାନର ମୁଖ୍ୟ ବିଚାରପତି ଏସ.ଏ. ବୋବଡେଙ୍କୁ ପତ୍ର ଲେଖି ଅମରାବତୀ ଜମି ଅନିୟମିତତା ମାମଲାରେ ଜଷ୍ଟିସ୍ ରମନ୍ନାଙ୍କ ଭୂମିକା ନେଇ ଅଭିଯୋଗ କରିଥିଲେ। ତେବେ ଶୀର୍ଷ ନ୍ୟାୟାଳୟ ଇନ-ହାଉସ୍ ପ୍ରକ୍ରିୟାରେ ଅଭିଯୋଗକୁ ଅଗ୍ରାହ୍ୟ କରିଦେଇଥିଲେ।