ମୁମ୍ବାଇ ବିମାନବନ୍ଦର ଛାତରୁ ଡେଇଁଲେ ଇଣ୍ଟେଲିଜେନ୍ସୀ ଅଧିକାରୀ, ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ
13/01/2020 at 6:19 PM

ମୁମ୍ବାଇ ୧୩।୧: ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଛାତରୁ ଡେଇଁ ସୋମବାର ଜଣେ ଗୁଇନ୍ଦା ବିଭାଗ କର୍ମଚାରୀ ଆତ୍ମହତ୍ୟା କରିଛନ୍ତି। ମୃତକ କର୍ମଚାରୀ ଅଭିଷେକ ବାବୁ ଭାବେ ଚିହ୍ନଟ ହୋଇଥିବା ବେଳେ ସେ ବିମାନବନ୍ଦରର ଇମିଗ୍ରେସନ ବିଭାଗାରେ ଜୁନିୟର ଇଣ୍ଟେଲିଜେନ୍ସୀ ଅଫିସର ଭାବେ କାର୍ଯ୍ୟରତ ଥିଲେ।

ବିମାନ ବନ୍ଦରର ଜି-୪ ପାର୍କିଂ ଅଞ୍ଚଳରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଅଭିଷେକଙ୍କ ଆତ୍ମହତ୍ୟାର କାରଣ ଜଣାପଡି ନାହିଁ। ତେବେ ଘଟଣା ପ୍ରଚାରିତ ହେବା ପରେ ବିମାନବନ୍ଦରରେ ଚାଞ୍ଚଲ୍ୟ ଖେଳିଯାଇଥିଲା।

ଚଳିତମାସ ପ୍ରାରମ୍ଭରେ ବାବୁଙ୍କୁ ପଦୋନ୍ନତି ମିଳିଥିଲା। ତେବେ ସେ ଚାପଗ୍ରସ୍ତ ରହୁଥିଲେ ବୋଲି ସାଥୀ କର୍ମଚାରୀଙ୍କ ସୂତ୍ରରୁ ସୂଚନା ମିଳିଛି। ଘଟଣା ନେଇ ପୋଲିସ ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରୁଥିବା ବେଳେ ମୃତକଙ୍କ ନିକଟରୁ ଜବତ ହୋଇଥିବା ମୋବାଇଲ ଫୋନ ଓ ଅନ୍ୟ ସାମଗ୍ରୀକୁ ତଦନ୍ତାଧିନ କରିଛି। ଜଣେ ଗୁଇନ୍ଦା ଅଧିକାରୀଙ୍କ ଏଭଳି ଅପ୍ରତ୍ୟାଶିତ କାଣ୍ଡ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି।