ଜଙ୍ଗଲରୁ ନିଖୋଜ ନାବାଳିକାଙ୍କ ମୃତଦେହ ଠାବ, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ : ଶବ ବ୍ୟବେଚ୍ଛେଦ ରିପୋର୍ଟକୁ ଅପେକ୍ଷା

Published By : Prameya-News7 Bureau | April 20, 2020 IST

ଯୋଡ଼ା ୨୦।୦୪: ଘର ପାଖରେ ଖେଳୁଥିଲା ୫ ବର୍ଷର ଶିଶୁକନ୍ୟା । ହଠାତ୍‌ ରବିବାର ସନ୍ଧ୍ୟାରେ କେଉଁଆଡ଼େ ସେ ନିଖୋଜ ହୋଇଯାଇଥିଲା । ଜାମିର୍ତ୍ତା ଜଙ୍ଗଲରୁ ସୋମବାର ଦିନ ତା’ର ମୃତଦେହକୁ ବାମେବାରୀ ପୋଲିସ୍‌ ଉଦ୍ଧାର କରିଛି । ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରି ନାହିଁ । ଶିଶୁଟିକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଶିଶୁଟିର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

ଅଭିଯୋଗ ଅନୁସାରେ, ମୃତ ଶିଶୁକନ୍ୟା ଜଣକ କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ଜଜାଙ୍ଗ ପଞ୍ଚାୟତର ଜାମିର୍ତ୍ତା ଗାଁର ବୋଲି ଜଣାପଡିଛି । ରବିବାର ଦିନ ସନ୍ଧ୍ୟା ସମୟରେ ଶିଶୁକନ୍ୟାଟି ଘର ପାଖରେ ଖେଳୁଥିଲା । ହଠାତ୍‌ କୁଆଡ଼େ ଚାଲିଯାଇଥିବା ନେଇ ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ । ହେଲେ ତା’କୁ ପାଇ ନ ଥିଲେ । ଗାଁ ନିକଟରେ ଥିବା ଜାମିର୍ତ୍ତା ଜଙ୍ଗଲରେ ଶିଶୁକନ୍ୟାର ମୃତଦେହ ପଡ଼ିଥିବା କିଛି ଲୋକ ଦେଖିଥିଲେ । ତୁରନ୍ତ ପୋଲିସକୁ ଖବର ଦେବା ପରେ ବାମେବାରୀ ଥାନା ଅଧିକାରୀ ଅମିତାଭ ଦାସ ମୃତ ଶିଶୁକୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।

ମୃତଦେହର ପରିଚୟ ସ୍ପଷ୍ଟ ହୋଇଛି । କେହି ଦୁର୍ବୃତ୍ତ ଜଙ୍ଗଲକୁ ଡାକି ନେଇ ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରିଛି ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ବଡ଼ବିଲ ଏସ୍‌ଡିପିଓ ସତ୍ୟବିକାଶ ଭୂୟାଁ, ଯୋଡ଼ା ଥାନା ଅଧିକାରୀ ରାଇସେନ ମୁର୍ମୁଙ୍କ ସହ ବାମେବାରୀ ପୁଲିସ୍‌ ଘଟଣାସ୍ଥଳରେ ତନାଘନା ଆରମ୍ଭ କରିଛନ୍ତି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ୍‌ ସୂଚନା ଦେଇଛି । ତୁରନ୍ତ ଦୁର୍ବୃତ୍ତକୁ ଗିରଫ କରାଯିବ ବୋଲି ପୁଲିସ୍‌ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.