ଝଡା ଫୁଂକାରେ ଆରୋଗ୍ୟ ହେଉଛି ଜଣ୍ଡିସ !

Published By : Prameya-News7 Bureau | August 30, 2018 IST

ନୂଆପଡା ୩୦/୮ : ବିଜ୍ଞାନ ଯୁଗରେ କିଛି ବି ଅସମ୍ଭବ ନୂହେଁ | ଡାକ୍ତର ତଥା ଡାକ୍ତରି ପାଠ ଆଗରେ ସମସ୍ତ ପ୍ରକାର ଅସାଧ୍ୟ ରୋଗ ହାର ମାନୁଥିବା ବେଳେ ଲୋକେ ଏବେବି ଏହାକୁ ଭରଷା ନକରି ଆପଣେଇ ନେଉଛନ୍ତି ଝଡାଫୁଙ୍କାର ଚିକତ୍ସା | ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଠାରୁ ମାତ୍ର ୧୦ କିଲୋମିଟର ଦୂର ଡୁଆଝର ଗାଁ | ରବିବାର ଓ ମଙ୍ଗଳବାର ହେଲେ ରାସ୍ତାରେ ଥିବା ନିମ୍ବଗଛ ତଳେ ଲମ୍ବା ଲାଇନ ଲାଗିଥାଏ | ଏକା ସାଙ୍ଗରେ ଛଅରୁ ସାତଜଣ ସାଧକ ରୋଗିଙ୍କ ମୁଣ୍ଡରେ ତେଲ ଥାଳି ରଖି ଫୁଙ୍କା ଝଡା କରନ୍ତି | ବିଶ୍ବାସ ରହିଛି କୁଆଡେ ଏଥିରେ ଜଣ୍ଡିସ ରୋଗୀ ସମ୍ପୂର୍ଣ ଆରୋଗ୍ୟ ଲାଭ କରୁଛନ୍ତି | ଶହେ ବର୍ଷରୁ ଉର୍ଦ୍ଧ୍ବ ହେବ ଯେଉଁଠି ଝଡାଫୁଙ୍କା ମାଧ୍ୟମରେ ଅସାଧ୍ୟ ଜଣ୍ଡିସ ଭଳି ରୋଗି ଆରୋଗ୍ୟ ହେଉଥିବା ଦାବି ହେଉଛି | ଫୁଙ୍କାଝଡା କରୁଥିବା ବ୍ୟକ୍ତି ମାନେ ଚନ୍ଦ୍ର କିମ୍ବା ସୁର୍ଯ୍ୟ ଗ୍ରହଣ ଦିନ ମନ୍ତ୍ର ସାଧନ କରିବା ପରେ ଝଡାଫୁଙ୍କା ମାଧ୍ୟମରେ ରୋଗିଙ୍କୁ ଚିକିତ୍ସା କରି ଥାଆନ୍ତି | ଏହାପାଇଁ ପ୍ରତ୍ୟେକ ରବିବାର ଓ ମଙ୍ଗଳବାର ଦିନ ଏକ ଲିଟର ଶୋରିଶ ତେଲ, ଗୋଟା ହଳଦୀ, କଉଡି, ଦୂବଘାସ, ତମ୍ବା ପଇସା ସହ ଗୋଟିଏ ଲୁହାକଣ୍ଟାର ଦରକାର ପଡିଥାଏ | ଏମିତି ମାତ୍ର ତିନିଦିନ ରବିବାର, ମଙ୍ଗଳବାର ଓ ପୂଣି ରବିବାର ଝଡାଫୁଙ୍କା ପରେ ରୋଗି ଆପେ ଆରୋଗ୍ୟ ହେଉଥିବା ଦେଖିବାକୁ ମିଳିଛି | ଏବେ ଏହାର ସାଧନା କରି ଗାଁରେ ୨୦ ରୁ ଉର୍ଦ୍ଧ୍ବ ସାଧକ ଝଡାଫୁଙ୍କା କରୁଛନ୍ତି | କେବଳ ନୂଆପଡା ନୁହେଁ, ପଡୋଶୀ ବଲାଙ୍ଗିର ବରଗଡ, ସମ୍ବଲପୂର ଓ ଛତିଶଗଡରୁ ମଧ୍ୟ ରୋଗୀ ଆସି ଆରୋଗ୍ୟ ହୋଇଥିବା କହୁଥିବା ବେଳେ ଚିକିତ୍ସା ପାଇଁ ବିଶାଖାପାଟଣାରୁ ମଧ୍ୟ ରୋଗୀ ଆସୁଥିବା ସ୍ଥାନୀୟ ଲୋକେ କହୁଛନ୍ତି | ଆଜିକାଲି ଯୁଗରେ କୋଣସି ପଦ୍ଧତିକୁ ଏଡେଇ ମଧ୍ୟ ଦିଆଯାଇ ନପାରେ | ତେବେ ହଜାର ହଜାର ଜଣ୍ଡିସ ରୋଗିଙ୍କୁ କେଉଁ ଔଷଧ ବଳରେ ଆରୋଗ୍ୟ କରି ହେଉଛି ତାର ତଦନ୍ତ କରି ବିଷ୍ଲେଷଣ କରିବା ସହ ଆଗାମୀ ଦିନରେ କେହି ଠକାମିର ଶିକାର ଯେମିତି ନହୁଅନ୍ତି ତାର ବ୍ୟବସ୍ଥା କରିବା ନିହାତି ଜରୁରୀ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.