Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ଜଙ୍କସନ ପାଲଟିଛି ଟେନସନ, ୨୦୨୦ରେ ଘଟିଛି ୨୫୯୪ଟି ସଡକ ଦୁର୍ଘଟଣା, ୧୧୬୪ ଜଣଙ୍କ ମୃତ୍ୟୁ

28/11/2021 at 8:10 PM

ଭୁବନେଶ୍ଵର ୨୮।୧୧:  ଜାତୀୟ ରାଜପଥ  ଏବଂ ରାଜ୍ୟ ରାଜପଥକୁ ସଂଯୋଗ କରୁଥିବା ସ୍ଥାନୀୟ ରାସ୍ତାର ଛକ ବା ଜଙ୍କସନଗୁଡିକ ଏବେ ପାଲଟିଛି ଟେନସନ । ଏହି ଭଳି ସ୍ଥାନରେ ବେଶୀ ସଂଖ୍ୟାରେ ଦୁର୍ଘଟଣା ଘଟୁଛି ଯେଉଁଥିପାଇଁ ଜୀବନ ଯାଉଛି । ଯାହା ବର୍ତ୍ତମାନ ଚିନ୍ତାର ବିଷୟ ପାଲଟିଲାଣି । ଏହାକୁ ରୋକିବା  ପାଇଁ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର  ପାଇଁ ଜାତୀୟ ରାଜପଥ ପ୍ରାଧୀକରଣ ଏବଂ ପୂର୍ତ୍ତ ବିଭାଗକୁ ଚିଠି ଲେଖିଛନ୍ତି ପରିବହନ ସଚିବ । ବିଶେଷଜ୍ଞ କହିଛନ୍ତି ଇଂଜିନିୟରିଂ ରେ ବ୍ୟାପକ ପରିବର୍ତ୍ତନ ଆବଶ୍ୟକତା ରହିଛି।

ଜଙ୍କସନ ପାଲଟିଛି ଟେନସନ । ୨୦୨୦ର ତଥ୍ୟ ଅନୁସାରେ  ଏହି ଭଳି ଜଙ୍କସନରେ ୨୫୯୪ଟି ସଡକ ଦୁର୍ଘଟଣା ଘଟିଛି। ଯେଉଁଥିରେ ୧୧୬୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩୨୨ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ଏହି ଜଙ୍କସନ ସବୁ ହୋଇଛି ବ୍ଲାକସ୍ପଟ୍। ବିଶେଷ କରି ଜାତୀୟ ଓ ରାଜ୍ୟ ରାଜପଥରେ ରହିଥିବା  ଜଙ୍କସନଗୁ଼ଡ଼ିକରେ ୨୫ ପ୍ରତିଶତ ଦୁର୍ଘଟଣା ଜନିତ ମୃତ୍ୟୁ ଘଟୁଛି। ସଡକ ଦୁର୍ଘଟଣା ରୋକିବା ଲାଗି ବିଭିନ୍ନ କେନ୍ଦ୍ର ଓ ରାଜ୍ୟ ସରକାର ନାନା  ପଦକ୍ଷେପ ଗ୍ରହଣ କରୁଛନ୍ତି ।   ଅଗଷ୍ଟ ୩୧ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏ ସଂପର୍କିତ ଏକ ସମୀକ୍ଷା ବୈଠକ ବସିଥିଲା । ଦୁର୍ଘଟଣାଗୁଡ଼ିକର କାରଣ ଖୋଜିବା ପାଇଁ ଏକ କମିଟି  ଗଠନ କରାଯାଇଥିଲା ।

ଏହି କମିଟି ଦୁଇ ମାସ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଥିଲା।  ହେଲେ ଏପର୍ଯ୍ୟନ୍ତ ନିର୍ଦ୍ଦେଶର ପାଳନ ହେଲାନାହିଁ। ପରବିହନ ବିଭାଗ ପ୍ରମୁଖ ଶାସନ ସଚିବ ପୂର୍ତ୍ତ ବିଭାଗ ଏବଂ ଏନଏଚଏଆଇ ମହାପ୍ରବନ୍ଧକଙ୍କୁ ଚିଠି ଲେଖି ଏ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ ।  ଜଙ୍କସନ ବା ଛକଗୁଡିକର ପ୍ରତ୍ୟକ୍ଷ ପରିଦର୍ଶନ କରି ଦୁର୍ଘଟଣାର କାରଣ ଖୋଜିବାକୁ ସଡକ କର୍ତ୍ତୃପକ୍ଷଙ୍କୁ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି । ତାହାର ରିପୋର୍ଟ ବି ଆସିନାହିଁ। ପରିବହନ ମନ୍ତ୍ରୀ କହିଛନ୍ତି ଦୁର୍ଘଟଣାକୁ ରୋକିବା ଲାଗି ବହୁତ ପଦକ୍ଷେପ ଗ୍ରହଣ କରାଯାଇଛି । ୨୫ ପ୍ରତିଶତ ବ୍ଲାକ ସ୍ପଟ ଚିହ୍ନଟ ସରିଲାଣି । ଖୁବ ଶିଘ୍ର ସମସ୍ତ ବ୍ଲାକ ସ୍ପଟ ଚିହ୍ନଟ କରାଯିବ ।

ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ଏକ ଏକ୍ସପର୍ଟ କମିଟି ଗଠନ କରାଇ ଖୋର୍ଦ୍ଧା, ପୁରୀ,ଓ କେନ୍ଦ୍ରାପଡାର ଜାତୀୟ ରାଜପଥ ଓ ରାଜ୍ୟ ରାଜପଥକୁ ତଦାରଖ କରିଥିଲେ। ଏହି ସମୟରେ ୧୦୦ଟି ବ୍ଲାକ ସ୍ପଟ ଚିହ୍ନଟ କରାଯାଇଥିଲା । ୨୪ ଅଗଷ୍ଟରୁ ଏକ ସାସ ଧରି ଜାତୀୟ ରାଜପଥ ଅଧିକାରୀ, ପରିବହନ ଅଧିକାରୀ, ପୁର୍ତ୍ତ ବିଭାଗ ଅଧିକାରୀ ମିଳିତ ତଦାରଖ କରିଥିଲ । ତେବେ ଏନେଇ ରାସ୍ତା ସୁରକ୍ଷା ସମିତି ସମ୍ପାଦକ ପ୍ରକାଶ ମହାପାତ୍ର କହିଛନ୍ତି ସବୁଆଡେ ଜଙ୍କସନମାନ ଖୋଲାଯାଉଛି ।  ଜଙ୍କସନରେ ହେଉଥିବା ଦୁର୍ଘଟଣାର କାରଣକୁ ତଦାରଖ କରାଯାଉନି।  ଯେଉଁଠି ସିମ୍ବଲ୍ ରହିବା କଥା ରହୁନି। ରୋଡ଼ ଇଂଜିନିୟରିଂ ଉପରେ ଗୁରୁତ୍ବ ଦେବାକୁ ପଡ଼ିବ।

ସଡକ ସୁରକ୍ଷା ଉପରେ ସୁପ୍ରିମକୋର୍ଟଙ୍କ କମିଟି ଓଡିଶା ପାଇଁ ପାଞ୍ଚ ବର୍ଷ ମଧ୍ୟରେ ଅର୍ଥାତ୨୦୨୦ ସୁଦ୍ଧା ମୃତ୍ୟୁହାରକୁ ୫୦ ପ୍ରତିଶତ ହ୍ରାସ କରିବା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।  ଦୁର୍ଭାଗ୍ୟବଶତଃ  ୨୦୧୪ରୁ  ୨୦୨୦ ମଧ୍ୟରେ ମୃତ୍ୟୁ ସଂଖ୍ୟାରେ କ୍ରମାଗତ ବୃଦ୍ଧି ଘଟିଛି ।  ୨୦୧୪ ରେ ସଡକ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩୯୩୧ ରହିଥିବା ବେଳେ ୨୦୨୦ ରେ ୪୭୩୮ ଜଣ ପ୍ରାଣ ହରାଇଛନ୍ତି ।  ଏହି ୫ ବର୍ଷରେ ସଡକ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା  ପ୍ରାୟ ୨୧ ପ୍ରତିଶତ ବୃଦ୍ଧି ଘଟିଛି । ଯଦି ବ୍ଲାକସ୍ପଟରେ ଦୁର୍ଘଟଣା ହ୍ରାସ କରାଯାଇପାରନ୍ତା ତେବେ ମୃତ୍ୟୁ ସଂଖ୍ୟା ୨୫ ପ୍ରତିଶତ କମିଯାଆନ୍ତା।

   Related Posts