କୋର୍ଟଙ୍କ ଦ୍ବାରସ୍ଥ ହେଲେ ବଲିଉଡ୍‌ ଅଭିନେତ୍ରୀ ଜୁହି ଚାଓ୍ବଲା, 5G ଟେକ୍‌ନୋଲୋଜିକୁ ନେଇ ଆଣିଲେ ଏମିତି ଅଭିଯୋଗ

Published By : Prameya-News7 Bureau | May 31, 2021 IST

ମୁମ୍ବାଇ ୩୧/୫: ୫ଜି ଟେକନୋଲୋଜି ବିରୋଧରେ ବଲିଉଡ ଅଭିନେତ୍ରୀ ଜୁହି ଚାଓ୍ବଲା । ଗତ କିଛି ବର୍ଷ ହେଲା ମୋବାଇଲ୍‌ ଫୋନ୍‌ର ୫ଜି ଟେକନିକ୍‌କୁ ବିରୋଧ କରିଆସୁଛନ୍ତି ଜୁହି । ତାଙ୍କ ମତରେ ଲୋକଙ୍କ ସ୍ବାସ୍ଥ୍ୟ ପ୍ରତି ରେଡିଓ ଫ୍ରିକ୍ବେନ୍ସି କେତେ ପରିମାଣରେ ଖରାପ ପ୍ରଭାବ ପକାଇବ ତାହା ଆକଳନ ବିନା ଦେଶରେ ୫ଜି ନେଟଓ୍ବାର୍କ ଚାଲୁ କରିବା ଉଚିତ ନୁହେଁ।  ଏହା ବିରୋଧରେ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି ଅଭିନେତ୍ରୀ।

ଜୁହି ଚାଓ୍ବଲା ଏବେ ଭାରତରେ ୫ଜି ନେଟଓ୍ବାର୍କ ଲାଗୁ କରିବା ବିରୋଧରେ ବମ୍ବେ ହାଇକୋର୍ଟରେ ଆବେଦନ କରିଛନ୍ତି। ଏହି ଆବେଦନ ଉପରେ ସୋମବାର ଶୁଣାଣି ହେବାର ଅଛି। ମିଡିଆ ରିପୋର୍ଟ ଅନୁସାରେ ୫ଜି ନେଟଓ୍ବାର୍କ ଦ୍ବାରା ଲୋକ, ଜୀବଯନ୍ତୁ, ଗଛ ଏବଂ ବାୟୁମଣ୍ଡଳ ଉପରେ ପଡ଼ିବାକୁ ଥିବା ଖରାପ ପ୍ରଭାବ ଉପରେ ଭଲ ଭାବେ ଅଧ୍ୟୟନ କରିବା ସହ ଏହି ନୂଆ ଟେକନୋଲୋଜି ଲାଗୁ ହେବ କି ନା ତା ଉପରେ କୋର୍ଟ କିଛି ନିଷ୍ପତ୍ତି ନେବାକୁ ସେ ଲେଖିଛନ୍ତି । ଜୁହି ଚାଓ୍ବଲା ବିକିରଣ (ରେଡିଏସନ୍‌) ଉପରେ ଜନ ସଚେତନତାକୁ ନେଇ ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟ କରିଆସୁଛନ୍ତି।

ଡିଜିଟାଲ ଲକ୍ଷ ହାସଲ କରିବାକୁ କେନ୍ଦ୍ର ୫ଜି ଲାଗୁ କରିବାକୁ ଯାଉଛି, ଠିକ ଏହି ସମୟରେ ଜୁହି ପଚାରିଛନ୍ତି, ନୂଆ ଟେକନୋଲୋଜି ଉପରେ ପର୍ଯ୍ୟାପ୍ତ ଅଧ୍ୟୟନ ହୋଇଛି କି ? 5G ଟେକନୋଲୋଜି ଆରମ୍ଭ କରିବା ପୂର୍ବରୁ ରେଡିଓ ଫ୍ରିକ୍ବେଏନ୍ସି ରେଡିଏସନ୍‌ ଯୋଗୁଁ ମହିଳା, ପୁରୁଷ, ଶିଶୁ, ଜୀବ, ଜଙ୍ଗଲ ଏବଂ ବାୟୁମଣ୍ଡଳ ଉପରେ ପଡ଼ିବାକୁ ଥିବା ପ୍ରଭାବକୁ ନେଇ ଭଲ ଭାବେ ଗବେଷଣା କରାଯାଇଛି କି ? ଏହା ସହ ଯଦି ଅଧ୍ୟୟନ କରାଯାଇଛି ତେବେ ଏଥିସହ ଜଡ଼ିତ ତମାମ ରିପୋର୍ଟସକୁ ସାର୍ବଜନୀନ କରାଯାଉ ବୋଲି ଜୁହି ଚାଓ୍ବଲାଙ୍କ ମୁଖପାତ୍ର କହିଛନ୍ତି।

ଏହି ସମୟରେ ୫ଜି ଟେକନିକ୍‌ ଆସିବା ଦ୍ବାରା ଏବେର ଏବଂ ପରପୀଢ଼ି ପ୍ରତି ବିପଦ ଅଛି କି ନାହିଁ ଜାଣିବା ଜରୁରୀ। ଯଦି ଖରାପ ପ୍ରଭାବ ପଡ଼ିବ ତେବେ ତାପରେ ଏହାକୁ ଲାଗୁ କରିବା ପାଇଁ ବିଚାର କରାଯାଉଛି କି ବୋଲି ସେ ପ୍ରଶ୍ନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.