ଦୁଷ୍କର୍ମ ପୀଡିତାଙ୍କୁ କୋର୍ଟରେ ଜଜ୍ ଦେଲେ ଏଭଳି ଅଫର, ଆଶ୍ଚର୍ଯ୍ୟ ହୋଇଗଲେ ସମସ୍ତେ

Published By : Prameya-News7 Bureau | November 12, 2019 IST

ଓ୍ବାସିଂଟନ୍ ୧୨।୧୧: ୧୬ବର୍ଷ ହେବ ନ୍ୟାୟ ମାଗୁଥିବା ଦୁଷ୍କର୍ମ ପୀଡିତାଙ୍କୁ ବିଚାରପତି ନ୍ୟାୟ ଦେବା ବଦଳରେ ଟଙ୍କା ନେଇ ମାମଲା ରଫାଦଫା କରିବାକୁ ପରାମର୍ଶ ଦେଇଛନ୍ତି । ଲୁସିଆନା ଜିଲ୍ଲା ଜଜ୍ ବ୍ରୁସ ବର୍ନେଟଙ୍କ ଏଭଳି କଥା ଶୁଣି ସେଠାରେ ଉପସ୍ଥିତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଏଭଳି ଘଟଣା ଆମେରିକାର ଲୁସିଆନାର ଏକ ଜିଲ୍ଲା କୋର୍ଟରେ ଘଟିଛି । ସେହି ସମୟରେ କୋର୍ଟରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ଏକ ଗଣମାଧ୍ୟମକୁ ନିଜର ଇଣ୍ଟରଭିୟୁ ଦେଇ ଏହି କଥାର ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ, ବିଚାରପତି ଜଣଙ୍କ ପୀଡିତାଙ୍କୁ ନ୍ୟାୟ ଦେବା ବଦଳରେ ଅଭିଯୁକ୍ତର ଦଣ୍ଡ କମ୍ କରାଇବା ପାଇଁ ଚେଷ୍ଟା କରିଥିଲେ । ଏପରିକି ବିଚାରପତି ପୀଡିତାଙ୍କୁ ଟଙ୍କାର ଅଫର ମଧ୍ୟ ଦେଇଥିଲେ । ସେ ଏଭଳି ମଧ୍ୟ କହିଛନ୍ତି ଯେ, ବିଚାରପତି ମହିଳାଙ୍କୁ ସାହାଯ୍ୟ କରିବା ପାଇଁ ଏଭଳି କହିଥାଇପାରିଥାନ୍ତି । ରିପୋର୍ଟ ଅନୁସାରେ ବିଚାରପତି ପୀଡିତାଙ୍କୁ କହିଥିଲେ ଯେ, ଯଦି ସେ ଅଭିଯୁକ୍ତର ଦଣ୍ଡ ୧୨ ବର୍ଷ କମ୍ କରିବା ସପକ୍ଷରେ ଅଛନ୍ତି ତେବେ ବଦଳରେ ଅଭିଯୁକ୍ତଠାରୁ ୧୫୦,୦୦୦ ଆମେରିକୀୟ ଡଲାର ଅଥବା ପ୍ରାୟ କୋଟିଏ ୭ଲକ୍ଷ ଟଙ୍କା ତାଙ୍କୁ ମିଳିବ ।

ପୀଡିତା ମହିଳା ବିଚାରପତିଙ୍କ ଏଭଳି ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ । ଆନ୍ତର୍ଜାତୀୟ ଗଣମାଧ୍ୟମରେ ଏହି ଖବର ବହୁଳ ଭାବରେ ପ୍ରଚାର ହେଉଛି ।

୩୧ ବର୍ଷ ବୟସ୍କା ଦୁଷ୍କର୍ମ ପୀଡିତାଙ୍କ ବୟସ ସେତେବେଳେ ୧୫ ବର୍ଷ ଥିଲା ଯେତେବେଳେ ଅଭିଯୁକ୍ତ ସେଡ୍ରିକ ହିଲ୍ସ ତାଙ୍କ ସହ ଦୁଷ୍କର୍ମ କରିଥିଲେ ।

ପୀଡିତା ଜଣଙ୍କ କହିଛନ୍ତି ଯେ, ଏହି ଘଟଣା ପରେ ତାଙ୍କ ଜୀବନ ଏକ ଭୟାନକ ଫିଲ୍ମ ଭଳି ହୋଇଯାଇଛି । ସେ କହିଛନ୍ତି ତାଙ୍କର ଅଧାରୁ ଅଧିକ ଜୀବନ ଏହି ଲଢେଇରେ କଟିଗଲା । ଏବେ ସେ ଥକିଯାଇଥିଛନ୍ତି । ତାଙ୍କ ଭିତରେ ରାଗ ଅଛି । ସେ ଏବେବି ନିଜ ପରିଚୟ ଖୋଜୁଛନ୍ତି ।

ଦୁଷ୍କର୍ମ ପୀଡିତାଙ୍କ କହିବା ଅନୁସାରେ ତାଙ୍କ ଏବେ କେବଳ ନ୍ୟାୟ ଦରକାର । ସେ ଟଙ୍କା ନେଇ ବୁଝାମଣା କରିବାକୁ ଚାହାନ୍ତି ନାହିଁ । ସେ ଚାହୁଁଛନ୍ତି ଯେ, ଅଭିଯୁକ୍ତକୁ କରିଥିବା କାମ ପାଇଁ ଖୁବ୍ ଶୀଘ୍ର ଦଣ୍ଡ ମିଳୁ ।

ସୂଚନାଯୋଗ୍ୟ ଯେ, ୨୦୦୩ ମସିହାରେ ହୋଇଥିବା ଏହି ଦୁଷ୍କର୍ମ ଘଟଣାରେ ଡିଏନଏ ରିପୋର୍ଟ ଆସିବା ପରେ ୨୦୧୪ ମସିହାରେ ଅଭିଯୁକ୍ତ ଉପରେ ଲାଗିଥିବା ଅଭିଯୋଗ ସାବ୍ୟସ୍ତ ହୋଇଥିଲା ।  ଏହି ଘଟଣା ପରେ ୨୦୧୮ ମସିହାରେ ହିଲ୍ସଙ୍କୁ ଅନ୍ୟ ଏକ ଘଟଣାରେ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.