Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସ୍ୱପ୍ନ ହୋଇ ରହିଗଲା ମଥାକୁ ସିନ୍ଦୂର ଓ ହାତକୁ ଶଙ୍ଖା, ବାହାଘର ପୂର୍ବରୁ ସାପ କାମୁଡାରେ ଚାଲିଗଲା ଜୀବନ

1/05/2021 at 12:52 PM

ପାଟଣା, ୦୧/୦୫:  ବିବାହ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ସମସ୍ତ ପ୍ରକାର ସୁନା ଗହଣା, ଆସବାବପତ୍ର କିଣା ଯାଇଥିଲା । ବନ୍ଧୁ ପରିଜନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା । ଆସନ୍ତା ୯ ତାରିଖରେ ମୟୁରଭଞ୍ଜ ଜିଲ୍ଲା ଯଶିପୁର ଭଅଁରା ଅଞ୍ଚଳରେ ବିବାହ ହୋଇଥାନ୍ତା  । ହେଲେ ଭାଗ୍ୟର ଥିଲା ବିଡ଼ମ୍ବନା । ସାପ କାମୁଡାରେ ଚାଲିଗଲା ଜୀବନ ।

ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତ ତଣ୍ଡୋ ଗ୍ରାମରେ । ପରିବାର ଲୋକେ ସମସ୍ତ ଆସବାବପତ୍ର କିଣି ଆସି ଘରେ ଶୋଇଥିଲେ । କିନ୍ତୁ ବିବାହ ହେବା ପୂର୍ବରୁ ସାପ କାମୁଡାରେ ଯୁବତୀଙ୍କ ମୃତ୍ୟୁ ଘଟିଛି । ମୃତା ହେଲେ ଗ୍ରାମର ସମରା ମୁଣ୍ଡାଙ୍କ ଝିଅ ମଙ୍ଗୁଳି ମୁଣ୍ଡା(୨୨) । ସେ ବୁଧବାର ରାତିରେ ଘରେ ଶୋଇଥିବା ସମୟରେ ପ୍ରାୟ ଗୋଟାଏ ସମୟରେ ତାଙ୍କୁ କୌଣସି ବିଷଧର ସାପ କାମୁଡି ଦେଇଥିଲା । ଏହାପରେ ସେ ଗୁରୁତର ହୋଇ ପଡିଥିଲେ।

ତାଙ୍କୁ ପ୍ରଥମେ ପାଟଣା ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଯୁବତୀଙ୍କ ମୃତଦେହର ବ୍ୟବଚ୍ଛେଦ କରାଇଛି। ଏନେଇ ଘଟଗାଁ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ସେପଟେ ଏଭଳି ଘଟଣାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

   Related Posts