ଯାଜପୁର, ୦୧।୧୦ : ଯାଜପୁର ଜିଲ୍ଲା ଦାନଗଦି ବ୍ଲକ କୁମ୍ଭୀରଗାଡ଼ିଆ ଗାଁରେ ଅଭାବନୀୟ ଘଟଣା । ସ୍ଥାନୀୟ ବାଲିଦୁମା ନାଳରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।
ସୂଚନା ମୁତାବକ, ଉକ୍ତ ଅଞ୍ଚଳର ସ୍ୱର୍ଗତ ଶ୍ରୀଧର ସାମଲଙ୍କ ୨୯ ବର୍ଷୀୟ ପୁଅ ରାଜକିଶୋର ସାମଲ ଗାଈ ପାଇଁ ଘାସ ଆଣିବାକୁ ଯାଇଥିଲେ । ଫେରିବା ସମୟରେ କୌଣସି କାରଣରୁ ସେ ନାଳରେ ବୁଡି ଯାଇଥିଲେ । ଅନେକ ସମୟ ବିତିଯାଇଥିଲେ ମଧ୍ୟ ପୁଅ ଘରକୁ ଫେରିନଥିବା ବେଳେ ଗ୍ରାମବାସୀଙ୍କ ସହାୟତାରେ ତାଙ୍କ ମାଆ ଖୋଜାଖୋଜି କରିଥିଲେ।
ବହୁ ଖୋଜାଖୋଜି ପରେ ଏକ ନାଳରେ ରାଜକିଶୋର ବୁଡିଯାଇଥିବା ସନ୍ଦେହ କରିଥିଲେ ଲୋକେ। ଏହାପରେ ନାଳ ଭିତରୁ ରାଜକିଶୋରଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରା ଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଁଚି ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।