ମର୍ଣ୍ଣିଂ ଓ୍ୱାକ୍ ବେଳେ ଗୋଡାଇଲା ଭାଲୁ, ପୋଖରୀକୁ ଡେଇଁପଡିଲେ ଯୁବକ

Published By : Prameya-News7 Bureau | November 07, 2021 IST

ନୀଳଗିରି, ୦୭/୧୧:  ପ୍ରାତଃ ଭ୍ରମଣ ବେଳେ ଗୋଡାଇଲା ଭାଲୁ । ପ୍ରାଣ ବିକଳରେ ଦୌଡିଲେ ଯୁବକ ।  ଉପସ୍ଥିତ ବୁଦ୍ଧି ଖଟାଇ ପୋଖରୀକୁ ଡେଇଁ ନିଜ ଜୀବନ ବଞ୍ଚାଇଲେ । ଏପରି ଘଟଣା ସାମ୍ନାକୁ ଆସିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ସହର ଉପଖଣ୍ଡରେ ।

ସୂଚନା ଅନୁସାରେ, ନୀଳଗିରି ଏନଏସି ଅଧିନ ଘାଟଘରସାହି ଅଞ୍ଚଳର ଗୟାଧର ବେହେରା ନାମକ ଯୁବକ ରବିବାର ଭୋର ସମୟରେ ପ୍ରାତଃ ଭ୍ରମଣ କରୁଥିଲେ। ଏହି ସମୟରେ ସହରର ସଙ୍କରାଖୁଣ୍ଟା ପୋଖରୀ ନିକଟରେ ଏକ ଭାଲୁ ତାଙ୍କୁ ଆତର୍କିତ ଆକ୍ରମଣ କରିବା ପାଇଁ ଗୋଡ଼ାଇଥିଲା। କିନ୍ତୁ ସେ ଉପସ୍ଥିତ ବୁଦ୍ଧି ଖଟାଇ ପୋଖରୀକୁ ଡିଆଁ ମାରିଦେଇଥିଲେ। ଭାଲୁ ସାଧାରଣତଃ ପାଣିକୁ ଯାଏ ନାହିଁ ବୋଲି ସେ ଏଭଳି କରିଥିଲେ।

ତେବେ ଏଭଳି ଘଟଣା ରଥଦାଣ୍ଡରେ ଘଟିଥିବା ବେଳେ ମହାପ୍ରଭୁ ତାଙ୍କୁ ବଞ୍ଚାଇଥିବା କହିଛନ୍ତି ଗୟାଧର। ସେହିପରି ବାଇପାସ୍ ରାସ୍ତାରେ ମୁନା ଦାସ ନାମକ ଆଉ ଜଣେ ବ୍ୟକ୍ତି ଘର ଆଗକୁ ଫୁଲ ତୋଳିବା ପାଇଁ ଆସିଥିବା ବେଳେ ଭାଲୁକୁ ଦେଖିଥିଲେ । ସେ ଦୌଡି ପଳାଉଥିବା ବେଳେ ପଡି ଆହତ ହୋଇଛନ୍ତି।  ସହରରେ ଭାଲୁ ବୁଲୁଥିବାରୁ ଲୋକମାନେ ଏବେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.