ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଜେ.ପି ନଡ୍ଡା ନିର୍ବାଚିତ
20/01/2020 at 2:52 PM

ନୂଆଦିଲ୍ଲୀ ୨୦।୦୧: ସୋମବାର ଦିନ ଭାରତୀୟ ଜନତା ପାର୍ଟି ମିଳିଛି ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ । ବିଜେପିର ୧୧ତମ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ଜେ.ପି ନଡ୍ଡା । ଅମିତ ଶାହାଙ୍କ ସ୍ଥାନରେ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ନିର୍ବିବାଦରେ ନିର୍ବାଚିତ ହୋଇଛନ୍ତି । ବିଜେପି ଅଧ୍ୟକ୍ଷ ସର୍ବସମ୍ମତିରେ ଏବଂ ବିନା ନିର୍ବାଚନରେ ବଛାଯିବାର ପରମ୍ପରା ରହିଆସିଛି ।
ପାର୍ଟିର ରାଷ୍ଟ୍ରୀୟ ନିର୍ବାଚନ ଅଧିକାରୀ ରାଧାମୋହନ ସିଂହ ଜେ.ପି ନଡ୍ଡାଙ୍କୁ ୨୦୧୯-୨୨ ପାଇଁ ନିର୍ବିରୋଧରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଘୋଷଣା କରିଛନ୍ତି । ଜେ.ପି ନଡ୍ଡାଙ୍କ ବିପକ୍ଷରେ କୌଣସି ନେତା ନାମାଙ୍କନ ଦାଖଲ କରିନଥିଲେ, ତେଣୁ ତାଙ୍କୁ ପାର୍ଟିର ନିର୍ବିରୋଧ ଭାବେ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ପାର୍ଟିରେ ଅମିତ ଶାହାଙ୍କ ସ୍ଥାନରେ ଜେ.ପି ନଡ୍ଡାଙ୍କୁ ଦାୟିତ୍ବ ଦିଆଯାଇଛି । ବିଜେପିର ନୂତନ ପାର୍ଟି ଅଧ୍ୟକ୍ଷ ନିର୍ବାଚିତ ପରେ ସଂଧ୍ୟା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ଟି ମୁଖ୍ୟାଳୟରେ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଜେପି ନଡ୍ଡା ଅଧ୍ୟକ୍ଷ ନିର୍ବାଚିତ ହେବା ପରେ ବର୍ତ୍ତମାନ ପାର୍ଟିର ଅଧ୍ୟକ୍ଷ ଥିବା ଅମିତ ଶାହାଙ୍କ ସାଢେ ପାଞ୍ଚ ବର୍ଷର ଅଧିକ ଦିନର କାର୍ଯକାଳ ସରିଛି । ଶାହାଙ୍କ ଅଧ୍ୟକ୍ଷ କାର୍ଯ୍ୟକାଳରେ ବିଜେପି ସାରା ଦେଶରେ ପ୍ରଭାବ ବିସ୍ତାର କରିପାରିଥିଲା । ମୋଦି ସରକାରଙ୍କ ଦ୍ବିତୀୟ ପାଳିରେ ଅମିତ ଶାହା କେନ୍ଦ୍ର ଗୃହମନ୍ତ୍ରୀ ହେବା ପରେ ବିଜେପି ନୂଆ ଅଧ୍ୟକ୍ଷ ଖୋଜିବା ଆରମ୍ଭ କରିଦେଇଥିଲା । କାରଣ ଦଳରେ ଗୋଟିଏ ବ୍ୟକ୍ତି, ଗୋଟିଏ ପଦର ପରମ୍ପରା ରହିଛି । ଗତ ବର୍ଷ ଜୁଲାଇରେ ଜେପି ନଡ୍ଡାଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିଲା ।