ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଦାବିରେ ସାମ୍ବାଦିକଙ୍କ ନିରବ ଧାରଣା : ରାଜ୍ୟ ସରକାରଙ୍କୁ ୪୮ ଘଣ୍ଟାର ମହଲତ
2/10/2018 at 5:08 PM

ଭୁବନେଶ୍ବର୨|୧୦: ସାମ୍ବାଦିକଙ୍କ ଉପରେ ବଢ଼ିଚାଲିଥିବା ଆକ୍ରମଣର ପ୍ରତିବାଦରେ ଆଜି ଏକାଠି ହୋଇଛନ୍ତି ସାମ୍ବାଦିକ । ପ୍ରଥମଥର ପାଇଁ ରାଜ୍ୟ ସରକାରଙ୍କ କାନ ତାବଦା କରିଛନ୍ତି। ସାମ୍ବାଦିକମାନଙ୍କୁ ଗ୍ରାଣ୍ଟେଡ଼ କରିନିଅନି ବୋଲି ସିଧାସିଧା ଜଣେଇ ଦେଇଛନ୍ତି। ରାଜଧାନୀ ଭୁବନେଶ୍ବରରେ ସାମ୍ବାଦିକମାନେ ଧାରଣା ଦେଇଥିବା ବେଳେ ରାଜ୍ୟର ଅନ୍ୟଭାଗଗୁଡ଼ିକରେ ମଧ୍ୟ ସେମାନଙ୍କ ଶାଣିତ ସ୍ବର ଗର୍ଜନ ଆକାର ଧାରଣ କରିଛି। ……
ଫିଲ୍ଡ ସାମ୍ବାଦିକ, ଡେସ୍କ ସାମ୍ବାଦିକ, ଫଟୋ ସାମ୍ବାଦିକ, ଟିଭି ସାମ୍ବାଦିକ, ପ୍ରିଣ୍ଟ ସାମ୍ବାଦିକ, ୱେବ ସାମ୍ବାଦିକ, ଜିଲ୍ଲା, ବ୍ଲକ, ଗ୍ରାମାଞ୍ଚଳ ସାମ୍ବାଦିକ, ଟେକ୍ନିସିଆନ ସମସ୍ତେ। ନିରବତାରେ ଦେଇଛନ୍ତି ଧାରଣା କିନ୍ତୁ ସରକାରଙ୍କ କାନ ତାବଦା କରିଛନ୍ତି। ଆଉ ସାମ୍ବାଦିକମାନଙ୍କୁ ମନ ଇଚ୍ଛା ବ୍ୟବହାର ଚଳିବନି। ପୋଲିସ ଠାରୁ ଆରମ୍ଭ କରିଛି ବିଧାୟକ, ନେତା କି ଗୁଣ୍ଡା ଭେଣ୍ଡା, ଯିଏ ଯେଉଁଠି ପାରିଛି ସାମ୍ବାଦିକଙ୍କ ଉପରେ ହାତ ଉଠାଇଛି। ବାସ୍ ବହୁତ ହେଇଗଲା। ଏଥର ସାମ୍ବାଦିକମାନେ ସହିବେନି। ଏ ହେଉଛି ଭୁବନେଶ୍ବର ଲୋୟର ପିଏମଜିର ଦୃଶ୍ୟ ଯେଉଠି ସାମ୍ବାଦିକମାନେ ଏକାଠି ହୋଇ ଧାରଣା ଦେଇଥିଲେ।
ନିକଟରେ ପୁରୀ, ସୋର, ବାଲିଆପାଳରେ ହୋଇଥିବା ସାମ୍ବାଦିକଙ୍କ ଉପରେ ଆକ୍ରମଣ ସ୍ପଷ୍ଟ କରିଦେଇଛି ଯେ ଓଡ଼ିଶା ବି ସାମ୍ବାଦିକମାନଙ୍କ ପାଇଁ ଏକ ଅସୁରକ୍ଷିତ ଅଞ୍ଚଳ ହେଇଗଲାଣି। ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ସରକାର ତୁରନ୍ତ ଆଇନ ଆଣିବାକୁ ଦାବି ଉପସ୍ଥାପନ କରାଯାଇଛି। ଏ ସମ୍ବଳିତ ଏକ ଦାବି ପତ୍ର ଉପସ୍ଥାପନ କରାଯାଇଥିଲା।
କେବଳ ଭୁବନେଶ୍ବର କାହିଁକି ରାଜ୍ୟର ଅନ୍ୟାନ୍ୟ ଭାଗରେ ମଧ୍ୟ ସାମ୍ବାଦିକମାନେ ସ୍ବର ଉତ୍ତୋଳନ କରିଛନ୍ତି। ବହୁତ ହେଇଗଲା ଆଉ ନୁହେଁ କହି ନିଜର ସ୍ପଷ୍ଟ ମତ ସିଧା ସିଧା ଜଣାଇଛନ୍ତି। ଏ ହେଉଛି ବ୍ରହ୍ମପୁର, ପୁରୀ, ଭଦ୍ରକ, ବାଙ୍କିର ଦୃଶ୍ୟ, ଯେଉଁଠାରେ ସାମ୍ବାଦିକମାନେ ଧାରଣା ଦେଇଥିଲେ।
ସାମ୍ବାଦିକମାନଙ୍କ ସାମାଜିକ ସୁରକ୍ଷା, କାର୍ଯ୍ୟ କରିବାର ସୁରକ୍ଷା ପ୍ରତି ସରକାର ପଦକ୍ଷେପ ନେବା ଉପରେ ବିଭିନ୍ନ ରାଜନୈତିକ ଦଳ ଗୁରୁତ୍ବ ଦେଇଛନ୍ତି।
ରାଜ୍ୟରେ ସାମ୍ବାଦିକ ସୁରକ୍ଷା ନେଇ ବିଭିନ୍ନ ସମୟରେ ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ମିଳିଥିଲେ ବି ଏହା କିନ୍ତୁ କାର୍ଯ୍ୟରେ ରୂପାୟନ ହୋଇନାହିଁ। କିନ୍ତୁ ଏଥର ଏହା ସରକାରଙ୍କ ଉପରେ ପ୍ରଭାବ ପକାଇବ ବୋଲି ଆଶା ବ୍ୟକ୍ତ କରିଛନ୍ତି ସାମ୍ବାଦିକମାନେ