ଟ୍ରମ୍ପ୍ଙ୍କୁ ପୁଣି ସଂକ୍ରମଣ ଭୟ, ରାଲିରେ ଯୋଗଦେଇଥିବା ସାମ୍ବାଦିକ କରୋନା ପଜିଟିଭ୍
27/06/2020 at 12:14 PM

ଓ୍ବାଶିଂଟନ୍ ୨୭।୬: ଗତ ସପ୍ତାହରେ ତୁଲସାରେ ରାଲି କରିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହି ରାଲିରେ ଯୋଗ ଦେଇଥିବା ଜଣେ ସାମ୍ବାଦିକ କହିଛନ୍ତି ଯେ ସେ କରୋନା ସଂକ୍ରମିତ ହୋଇଛନ୍ତି । ଓକୋଲହୋମା ୱାଚ୍ ସାମ୍ବାଦିକ ପଲ୍ ମୋନିସ୍ କହିଛନ୍ତି ଯେ, ଶୁକ୍ରବାର ଦିନ ସେ କରୋନା ସଂକ୍ରମଣ ହେବା ବିଷୟରେ ସୂଚନା ପାଇଥିଲେ ।
ମୋନିସ୍ ଟ୍ବିଟ୍ କରିଛନ୍ତି ଯେ, ମୁଁ ଆଶ୍ଚର୍ଯ୍ୟ ହୋଇଛି । ମୋର ଏପର୍ଯ୍ୟନ୍ତ କୌଣସି ଲକ୍ଷଣ ନାହିଁ ଏବଂ ମୁଁ ଭଲ ସୁସ୍ଥ ଅନୁଭବ କରୁଛି । ଆଜି ସକାଳେ ମୁଁ ୫ ମାଇଲ୍ ଦୌଡିଲି । ସେ କହିଛନ୍ତି ଯେ, ଶନିବାର ଦିନ ସେ ପ୍ରାୟ ଘଣ୍ଟାଏ ଧରି ବିଓକେ ସେଣ୍ଟରରେ ଏକ ରାଲିରେ ଯୋଗ ଦେଇଥିଲେ ଏବଂ ମାସ୍କ ପିନ୍ଧିଥିଲେ ଏବଂ ସାମାଜିକ ଦୂରତା ଅନୁସରଣ କରିଥିଲେ । ସେ କେବଳ ଖାଦ୍ୟ ଏବଂ ପାନୀୟ ପାଇଁ ଭିଡ ଭିତରକୁ ପ୍ରବେଶ କରିଥିଲେ । ସେ କହିଛନ୍ତି ଯେ, ଏହି ସମୟ ମଧ୍ୟରେ ସେ ରାଷ୍ଟ୍ରପତିଙ୍କ ନିକଟକୁ ଆସିନାହାଁନ୍ତି ।

ଓକଲାହୋମା ସିଟି-କାଉଣ୍ଟି ସ୍ବାସ୍ଥ୍ୟ ବିଭାଗରେ ଜଣେ ଏପିଡେମୋଲୋଜିଷ୍ଟ କହିଛନ୍ତି ଯେ, ଏହା ଜାଣିବା କଷ୍ଟକର ଯେ ସେ ଏହି ରାଲିରେ କରୋନା ଭାଇରସ୍ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି କି ନାହିଁ । ମୋନିସ କହିଛନ୍ତି ଯେ, ମୁଁ ବିଶ୍ବାସର ସହ କହିପାରିବି ନାହିଁ ଯେ ମୁଁ ରାଲିରେ କରୋନା ଭାଇରସ୍ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛି । ସୂଚନାଯୋଗ୍ୟ ଯେ, ଟ୍ରମ୍ପଙ୍କ ପ୍ରଚାର ଅଭିଯାନର ୬ ଜଣ କର୍ମଚାରୀ ଏବଂ ଓକଲାହୋମା ରାଲିରେ କାର୍ଯ୍ୟ କରୁଥିବା ଗୋପନୀୟ ସେବାର ଦୁଇଜଣ ସଦସ୍ୟ ମଧ୍ୟ କରୋନା ଭାଇରସ୍ ସଂକ୍ରମିତ ହୋଇଥିବା ଜଣାପଡିଛି । ଓକଲାହୋମାରେ, ଗତ ସପ୍ତାହରେ କୋଭିଡ୍-୧୯ ମାମଲା ପ୍ରତିଦିନ ବୃଦ୍ଧି ପାଉଛି ।