ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ, ଭୁଜାଲିରେ ହାଣିଲେ ୫ଦୁର୍ବୃତ୍ତ
31/05/2019 at 7:42 AM

ଜଳେଶ୍ବର ୩୧|୫: ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ପାରୁଳିଆ ଛକରେ ଦୈନିକ ଖବର କାଗଜର ସାମ୍ବାଦିକ ପ୍ରତାପ ପାତ୍ରଙ୍କୁ କିଛି ଦୁର୍ବୃତ୍ତ ମାରଣାନ୍ତକ ଆକ୍ରମଣ କରିଛନ୍ତି । ସେ ନିଜ କାର୍ଯ୍ୟ ସାରି ବିଳମ୍ବିତ ରାତିରେ ଘରକୁ ଫେରୁଥିଲା ବେଳେ ୫ ଜଣ ଦୁର୍ବୃତ୍ତ ତାଙ୍କୁ ପିଛା କରି ଗୁନାପୁର ଛକ ନିକଟରେ ତାଙ୍କ ଗାଡିକୁ ଅଟକାଇ ପ୍ରଥମେ ତାଙ୍କ ମୋବାଇଲ ଏବଂ ସୁନାଚେନ୍ ଛିଣ୍ଡାଇ ନେଇଥିଲେ ।

ପରେ ତାଙ୍କୁ ଭୁଜାଲିରେ ହାଣିବା ସହ ଶରୀରର ବିଭିନ୍ନ ଅଂଶକୁ ହାଣି ପକାଇଛନ୍ତି । ସେ ତଳେ ପଡି ଜୋରରେ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଦୌଡି ଆସିବାରୁ ଦୁର୍ବୃତ୍ତମାନେ ଛାଡି ପଳାଇଥିଲେ। ତାଙ୍କୁ ପ୍ରଥମେ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ବର ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।