ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ଓଡ଼ିଶା ଏବଂ ପଞ୍ଜାବ ସରକାରଙ୍କୁ ଜବାବ ମାଗିଲା PCI
10/07/2020 at 12:23 PM

ନୂଆଦିଲ୍ଲୀ୧୦/୭: ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣାରେ ପିସିଆଇ (ପ୍ରେସ୍ କାଉନ୍ସିଲ ଅଫ୍ ଇଣ୍ଡିଆ) ଓଡ଼ିଶା ଓ ପଞ୍ଜାବ ସରକାରଙ୍କ ଠାରୁ ଜବାବ ମାଗିଛି । ଉଭୟ ରାଜ୍ୟରେ କୋଭିଡ-୧୯ ଲକ୍ଡାଉନ ସମୟରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣାକୁ ପିସିଆଇ ଗମ୍ଭୀରତାର ସହ ନେଇଛି । ପଞ୍ଜାବରେ ଗୋଟିଏ ଘଟଣାରେ ଜଣେ ମନ୍ତ୍ରୀଙ୍କ ନାମରେ ଏକ ଖବର ଲେଖିବା ଘଟଣାରେ ‘ପଞ୍ଜାବୀ ଜାଗରଣ’ ଖବରକାଗଜର ସାମ୍ବାଦିକ ଜୟସିଂହ ଛିବରଙ୍କ ନାମରେ ଏଫଆଇଆର ରୁଜୁ କରାଯାଇଛି ।
ଅନ୍ୟ ଏକ ଘଟଣାରେ ‘ରୋଜାନା ପେହେରଦାର’ ଖବରକାଗଜର ସାମ୍ବାଦିକ ମେଜର ସିଂହ ପଞ୍ଜାବୀଙ୍କୁ ମୋହାଲି ଥାନାର ଦୁଇଜଣ ଏଏସ୍ଆଇ ଶାରୀରିକ ନିର୍ଯାତନା ଦେଇଥିବାର ପିସିଆଇ ଦର୍ଶାଇଛି। ଏକ ବିବୃତ୍ତି ଜାରି କରି ପିସିଆଇ କହିଛି ଯେ ଦେଶର ଯେକୌଣସି ସ୍ଥାନରେ ସାମ୍ବାଦିକ କିମ୍ବା ଗଣମାଧ୍ୟମର କର୍ମଚାରୀଙ୍କୁ ଆକ୍ରମଣ କରାଯିବା ଘଟଣାକୁ ଦୃଢ଼ ନିନ୍ଦା କରୁଛି ।
ଉପରୋକ୍ତା ମାମଲାରେ ପଞ୍ଜାବ ସରକାରଙ୍କ ଠାରୁ ଜବାବ ଲୋଡାଯାଇଛି । ସେହିଭଳି କ୍ୱାରେଣ୍ଟାଇନରେ ଥିବା ବେଳେ ଓଡ଼ିଶାର ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ କୋରୁଆ ପଞ୍ଚାୟତର ସରପଞ୍ଚ କୋଭିଡ-୧୯ ଗାଇଡଲାଇନ ଉଲ୍ଳଂଘନ କରିବା ସମ୍ପର୍କିତ ଖବର ପ୍ରକାଶ ପରେ ମହାଦେବ ନାୟକ ନାମକ ଜଣେ ସାମ୍ବାଦିକଙ୍କୁ ଟିଏମ୍ସିରେ ପଣବନ୍ଦୀ କରି ରଖିବା ଓ ତାଙ୍କୁ ମାଡ ମରାଯିବା ସହ ତାଙ୍କ ପ୍ରେସ୍ ସାମଗ୍ରୀ ଭାଙ୍ଗିଦିଆଯାଇଥିବା ପିସିଆଇ ଦର୍ଶାଇଛି । ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ପିସିଆଇ ଓଡ଼ିଶା ସରକାରଙ୍କ ଠାରୁ ଜବାବ ମାଗିଥିବା ଉଲ୍ଲେଖ କରିଛି।